ବିଧାନସଭା ବାହାରେ ସିଂହ-ବିଲେଇ ଉପାଖ୍ୟାନ । 

187

କନକ ବ୍ୟୁରୋ : ଖଣି ଦୁର୍ନୀତିକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହେବା ସହ ଗୃହ ବାରମ୍ବାର ମୁଲତବୀ ହୋଇଛି । ଖଣି ଦୁର୍ନୀତି ମୁଲତବୀକୁ ବାଚସ୍ପତି ଗ୍ରହଣ ନ କରିବା ପରେ ପୋଡିୟମ ତଳେ ହୋ-ହାଲ୍ଲା କରିଛି ବିରୋଧୀ କଂଗ୍ରେସ । ଆଉ ଅନ୍ୟପଟେ ଏମଏସପି ବୃଦ୍ଧି ଓ ଚାଷୀଙ୍କୁ ସାର ଯୋଗାଇଦେବା ପ୍ରସଙ୍ଗରେ ଗାନ୍ଧୀ ମୃର୍ତ୍ତି ତଳେ ପ୍ରତିବାଦ କରିଛି ଶାସକ ବିଜେଡି । ଚାଷୀଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ ପ୍ରତିବାଦ ରାସ୍ତା ଆପଣାଇଛି ଶାସକ ବିଜେଡି ।

ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି ଦଳ। କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି। କାଳେ ବିଲେଇ ମୂଷାକୁ ଖାଇଦେଵ ଏହି ଭୟ ରହିଛି। ଖଣି ଦୁର୍ନୀତି ତାତିରୁ  ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ନାଟକ ବାଜି କରୁଛି  ବିଜେଡି ।  ଖଣି ଦୁର୍ନୀତି କଥା ଉଠିଲା ମାତ୍ରେ ଶାସକ ଦଳର କେନ୍ଦ୍ରର ବୈମାତୃକ ମନୋଭାବ କଥା ମନେପଡେ । ଯେଉଁଠି ସ୍ୱର ଉତ୍ତୋଳନ କରିବା କଥା ସେଠି ବିଜେଡି ଦଳକୁ ଖୋଜିଲେ ମିଳୁନାହିଁ ।

ଏହାସହ ନରସିଂହ କହିଛନ୍ତି, ମରୁଡ଼ି ଆଲୋଚନା ବେଳେ ସାରା ରାଜ୍ୟରେ ସରକାର ମରୁଡି ଘୋଷଣା କରନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା ।  କିନ୍ତୁ ସେହି ସମୟରେ ରାଜସ୍ବ ମନ୍ତ୍ରୀ କହିଥିଲେ ରାଜ୍ୟରେ ମରୁଡି ହୋଇନାହିଁ, ବର୍ଷା ଆଶଙ୍କା ରହିଛି, ସମୟ ଆସିଲେ ମରୁଡି ଘୋଷଣା କରାଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟ ଜନକ। ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଆନ୍ତରିକତା ରହିଛି ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେଇ ରାଜ୍ୟ ସରକାର କାହିଁକି କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।

ନରସିଂହଙ୍କୁ ଜବାବ ଦେବାକୁ ଯାଇ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କିନ୍ତୁ ବିରୋଧୀ ଦଳ ଗୋଟିଏ ଲେଖାଏଁ ପ୍ରସଙ୍ଗ ଧରି ଆଲୋଚନା କରିବାକୁ ଜିଦ୍ ଧରୁଛନ୍ତି, ଯାହାଦ୍ୱାରା ଅନ୍ୟ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇପାରୁନାହିଁ । ସବୁବେଳେ କଣ ବିରୋଧୀଙ୍କ କଥାରେ ଗୃହ ଚାଲିବ କି? ବାଚସ୍ପତିଙ୍କ ରୁଲିଂକୁ ମାନି ଗୃହ ଚଳାଇବାକୁ ଚେଷ୍ଟା କଲେ ମଧ୍ୟ ବିରୋଧୀ ଚଲାଇ ଦେଉନାହାନ୍ତି । ଚାଷୀଙ୍କୁ ସାର ମିଳୁନି ସେ ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବାକୁ ପ୍ରସ୍ତୁତ ହେଉନାହାନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକସ୍ଥଳେ ସିଂହ ଓ ବାଘର ଭୂମିକା ନେଇ ଗର୍ଜନ କରିଛୁ । ସାଧାରଣ ଲୋକଙ୍କ ସ୍ୱାର୍ଥଙ୍କୁ ଦୃଷ୍ଟିରେ ରଖି ସବୁ ପ୍ରକାର ଗର୍ଜନ କରିଛି ବିଜେଡି । କେନ୍ଦ୍ରକୁ ଭୟ କରିବାର ପ୍ରଶ୍ନ ଉଠୁନି । କଂଗ୍ରେସ ସରକାରରେ ଥିବା ବେଳେ ଭୟ କରିଥିଲୁ ନା ଏବେ ବିଜେପି ସରକାରକୁ ଆମେ ଭୟ କରୁଛୁ ବୋଲି କହିଛନ୍ତି ପ୍ରମିଳା ।