ପୁଣି ଚିଦାମ୍ବରମଙ୍କୁ ମିଳିଲାନି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ସୋମବାରକୁ ଘୁଞ୍ଚିଲା ଜାମିନ ଶୁଣାଣି

ଆଇଏନଏକ୍ସ ଦୁର୍ନୀତି ମାମଲାରେ ୨୬ ଅଗଷ୍ଟ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ଅଛନ୍ତି ଚିଦାମ୍ବରମ

171

କନକ ବ୍ୟୁରୋ: ପୁଣି ସୁପ୍ରିମକୋର୍ଟରୁ ନିରାଶ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପୁଣି ଏହାକୁ ସୋମବାର ଯାଏଁ ଘୁଂଚାଇଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଚିଦାମ୍ବରମ ଏବେ ସିବିଆଇ ରିମାଣ୍ଡରେ ଥିବାରୁ ତାଙ୍କ ଜାମିନ ଆବେଦନ ଉପରେ ଆସନ୍ତା ସୋମବାରକୁ ଶୁଣାଣି ଟାଳିଛନ୍ତି ସୁପ୍ରିମକୋର୍ଟ । ପି ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ କୋର୍ଟଙ୍କ ପାଖରେ ଚିଦାମ୍ବରମଙ୍କ ପକ୍ଷ ରଖିଥିଲେ ।

କପିଲ ଶିବଲଙ୍କ ପକ୍ଷ ଶୁଣିବା ପରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ ଯେତେବେଳେ ଅଭିଯୁକ୍ତ ସିବିଆଇ ରିମାଣ୍ଡରେ ଅଛନ୍ତି ଏଠି ଅଗ୍ରୀମ ଜାମିନ କଥା ଉଠୁଛି କେଉଁଠୁ । ଆଇଏନଏକ୍ସ ମିଡିଆ ମାମଲାରେ ଗତ ବୁଧବାର ରାତିରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା । ଏହାପରେ ଗତକାଲି ତାଙ୍କୁ ରାଉଜ ରେଭନ୍ୟୁ କୋର୍ଟରେ ହାଜର କରାଯାଇଥିଲା ।

ଏହି ସମୟରେ ଚିଦାମ୍ବରମଙ୍କୁ ୫ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲା ସିବିଆଇ । ଶେଷରେ କୋର୍ଟ ସିବିଆଇର ଆବେଦନକୁ ଗ୍ରହଣ କରି ଚିଦାମ୍ବରମଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ରିମାଣ୍ଡରେ ଥିବା ଚିଦାମ୍ବରମଙ୍କୁ ଆଜିଠୁ ସିବିଆଇ ଅଧିକାରୀ ଜେରା କରିବା ଆରମ୍ଭ କରିଛନ୍ତି ।