କନକ ବ୍ୟୁରୋ : ସଂଯୋଗ କୁହନ୍ତୁ ବା ବିବାଦ । ଦକ୍ଷିଣ ଆଫ୍ରିକା ଗସ୍ତରେ ଉଭୟ ରୋହିତ ଓ ବିରାଟ ଯିବେ । କିନ୍ତୁ ଏକାସାଥୀରେ ମ୍ୟାଚ୍ ଖେଳିବେନି । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ୨ଟି ଭିନ୍ନ ଭିନ୍ନ ଫର୍ମାଟରେ ମ୍ୟାଚ୍ ଖେଳିବ । ଅଥାର୍ତ ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ । ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ ଦଳ ଦକ୍ଷିଣ ଆଫ୍ରିକାରେ ଖେଳିବ, ସେହିଭଳି ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦିନିକିଆ ଦଳ ମୈଦାନକୁ ଓହ୍ଲାଇବ । କିନ୍ତୁ ଏହି ଦୁଇଟି ଫର୍ମାଟରେ ଉଭୟ ଖେଳାଳୀଙ୍କୁ ଏକାଠି ଦେଖିବାକୁ ମିଳିବନି । କାରଣ ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ବାଦ୍ ପଡିଥିବା ବେଳେ ବିରାଟ କୋହଲି ଦିନିକିଆ ସିରିଜରୁ ଓହରିବାକୁ ନିଷ୍ପତ୍ତି ନେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଆଉ ଯଦି ଏଭଳି ହୁଏ ତେବେ ରୋହିତଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ବିରାଟଙ୍କୁ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବନି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଗସ୍ତ ପୂର୍ବରୁ ମୁମ୍ବାଇରେ ଚାଲିଥିବା ଟ୍ରେନିଂ କ୍ୟାମ୍ପରେ ରୋହିତ ଶର୍ମା ଆହତ ହୋଇଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକା ଗସ୍ତକୁ ଆଉ ଦିନ କେଇଟା ବାକି ଥିବା ବେଳେ ଟେଷ୍ଟ ଟିମରୁ ତାଙ୍କୁ ବାଦ୍ ଦିଆଯାଇଛି । ରୋହିତଙ୍କ ବଦଳରେ ପ୍ରିୟଙ୍କ ପଞ୍ଚଲଙ୍କୁ ଦଳରେ ସାମିଲ କରାଯାଇଛି । ଅନ୍ୟପଟେ ବିରାଟଙ୍କ ହାତରୁ ଦିନିକିଆ ଅଧିନାୟକ ପଦ ଯିବା ପରେ ରୋହିତଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଦଳ ଏଯାବତ ଘୋଷଣା କରାଯାଇନାହିଁ । କିନ୍ତୁ ଏହି ସିରିଜ ବିରାଟ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । କାରଣ ଝିଅର ପ୍ରଥମ ଜନ୍ମଦିନ ପାଇଁ ପରିବାର ସହ ସମୟ କାଟିବାକୁ କୋହଲି ଏହି ସିରିଜରୁ ଓହରୁଥିବା କୁହାଯାଉଛି । ଆଉ ଏଭଳି ଚର୍ଚ୍ଚା ଏବେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତକୁ ରୋଚକ କରିଛି ।
More details here - https://t.co/XXH3H8MXuM#TeamIndia#SAvINDhttps://t.co/jppnewzVpG
— BCCI (@BCCI) December 13, 2021
ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ପରେ ବିସିସିଆଇକୁ ଚାରିଆଡୁ ସମାଲୋଚିତ ହେବାକୁ ପଡିଛି । ତେବେ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇବା ପଛର କାରଣ କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଟି-୨୦ ଫର୍ମାଟର ଅଧିନାୟକ ପଦ ନ ଛାଡିବାକୁ ବିରାଟଙ୍କୁ କୁହାଯାଇଥିଲା କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ । ଯେଉଁଥିପାଇଁ ଚୟନକର୍ତ୍ତା ଓ ବୋର୍ଡ ମଧ୍ୟରେ ଏକ ବୈଠକ ବସିଥିଲା । ଯେଉଁଥିରେ ଟି-୨୦ ଓ ଦିନିକିଆ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ରହିପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥିପାଇଁ ରୋହିତଙ୍କୁ ଟି-୨୦ ସହ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।