କନକ ବ୍ୟୁରୋ : ଆଜି ବି ବିଧାନସଭାରେ ପୁଣି ହଙ୍ଗାମା । ଉଭୟ ବିରୋଧୀ ଓ ଶାସକ ଦଳ ପକ୍ଷରୁ ହୋହଲ୍ଲା କରାଯାଇଛି । ବାଚସ୍ପତି ଗୃହକୁ ଆସିବା ପୂର୍ବରୁ କଂଗ୍ରେସ ବିଧାୟକମାନେ ପୋଡିୟମ୍ ଚେୟାରକୁ ଘେରି ରହିଥିଲେ । ବାଚସ୍ପତି ଆସିବା ପରେ କଂଗ୍ରେସ ବିଧାୟକମାନେ ତାଙ୍କୁ ଘେରି ଯାଇଥିଲେ । ସେହିପରି ବିଜେପି ବିଧାୟକମାନେ ମମିତା ମେହେର ପ୍ରସଙ୍ଗରେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । ପାଇକ ବଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବା ପ୍ରସଙ୍ଗରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଫଳରେ ବାଚସ୍ପତି ଗୃହକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଗୃହ ମୁଲବତୀ ହେବା ପରେ ବିଜେପି ବିଧାୟକମାନେ ପିଏମଜି ଯାଇଥିଲେ । ଶୋଭାଯାତ୍ରାରେ ଯାଇ ପିଏମଜିରେ ଥିବା ପୋଷ୍ଟ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିର ଉତର ରଖିବେ ବୋଲି ଆଶା ରଖିଥିବା କହିଛନ୍ତି ବିଜେପି ବିଧାୟକ । ଅନ୍ୟପଟେ  ଗୃହରେ ହଟ୍ଟଗୋଳ ଓ କାର୍ଯ୍ୟ ଚାଲୁ ନଥିବା ଭିତରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  । ସେ କହିଛନ୍ତି ଯେ, ଗୃହକାର୍ଯ୍ୟ ଆରମ୍ଭ ହେଲା ପରଠୁ କୌଣସି ଦିନ ଗୃହକାର୍ଯ୍ୟ ଚାଲି ନାହିଁ  । ସରକାରଙ୍କ କୌଣସି କାର୍ଯ୍ୟକ୍ରମ ନଥିଲା  । ସରକାର ଜାଣିଶୁଣି ଗୃହରେ ଆଲୋଚନା ପାଇଁ କୌଣସି ବିଷୟ ରଖି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି  ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡାଇଉନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି । ବିଜେପିର ୨ କାର୍ଯ୍ୟକତ୍ତାଙ୍କ ହତ୍ୟା କରାଯାଇଛି । ହତ୍ୟାରେ ଆଇନମନ୍ତ୍ରୀ ସମ୍ପୃକ୍ତି ପ୍ରମାଣ ହୋଇଛି । ଏହାସ୍ୱତ୍ତେ୍ୱ ମୁଖ୍ୟମନ୍ତ୍ରୀ ସାର୍ଟିଫିକେଟ୍ ପ୍ରଦାନ କରୁଛନ୍ତି, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି କରୁନାହାନ୍ତି ତ , ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଅଦାଲତଙ୍କ ନିର୍ଦ୍ଦେଶକୁ ବାରମ୍ବାର ସମୟ ମାଗି ସରକାର ଓ ଆଇନମନ୍ତ୍ରୀଙ୍କ କେସକୁ ରଫାଦଫା କରିବାକୁ ଉଦ୍ୟମ କରାଯାଉଥିବା କହିଛି ବିଜେପି । ବିଧାନସଭା ସୁରୁଖୁରୁରେ ଚାଲୁ ବୋଲି ଶାସକ ଦଳ ଚାହୁଁନି, ତେଣୁ ଦାଗି ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀ ମାନେ ବିଧାନସଭା ଚଳାଇ ଦେଉନାହାନ୍ତି ବୋଲି କହିଛନ୍ତି  ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।