ଭୁବନେଶ୍ୱର-ପୁରୀ ଆସନକୁ ନେଇ ଛିଡୁନି ମେଣ୍ଟ ଅଙ୍କ ! ଉଭୟ ବିଜେଡି-ବିଜେପି ଫୋକସରେ ଭୁବନେଶ୍ୱର-ପୁରୀ ଆସନ ।

752

କନକ ବ୍ୟୁରୋ : ଆସନ ଭାଗବଣ୍ଟାକୁ ନେଇ ଅଟକିଛି ବିଜେଡି-ବିଜେପି ମେଣ୍ଟ । ଆସନ ବୁଝାମଣା ହୋଇପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରିପୋର୍ଟ ଅନୁସାରେ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନକୁ ନେଇ କୌଣସି ବୁଝାମଣା ହୋଇପାରୁନାହିଁ । ଭୁବନେଶ୍ୱର ଓ ପୁରୀ ଲୋକସଭା ଆସନ ନେଇ ଅଡ଼ି ବସିଛନ୍ତି ଦୁଇ ଦଳ । ବିଜେଡି ଏହି ଦୁଇ ଆସନ ଚାହୁଁଥିବା ବେଳେ ବିଜେପି ଏହି ଆସନକୁ ଛାଡ଼ିବାକୁ ଅରାଜି ଥିବା ଜଣାପଡ଼ିଛି ।

ଏହାସହ ଆଉ କିଛି ଆସନକୁ ନେଇ ମଧ୍ୟ ଅଙ୍କ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି । ସେପଟେ ବିଜେପି ମଧ୍ୟ ଶତାଧିକ ବିଧାନସଭା ଆସନ ଛାଡ଼ିବାକୁ ରାଜି ହେଉନାହିଁ । ଏପରିକି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଇଛନ୍ତି । ଏସବୁ ଚର୍ଚ୍ଚା ଭିତରେ ଗତକାଲି ଦିଲ୍ଲୀ ଯାଇଥିବା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଆଜି ଦିଲ୍ଲୀରୁ ଫେରିଛନ୍ତି । ଫେରିବା ପରେ ବିମାନ ବନ୍ଦରରୁ ସିଧାସଳଖ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଯାଇଥିଲେ ଦୁଇ ନେତା । ଏମାନେ ଗତକାଲି ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିବା କୁହାଯାଉଛି । ହେଲେ କଣ ଆଲୋଚନା ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।