କନକ ବ୍ୟୁରୋ: ବିଜେଡି ଓ ବିଜେପି ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ । ଆଜିଠୁ ଆରମ୍ଭ ହୋଇଯିବ ଜୋରଦାର ପ୍ରଚାର । ମେଣ୍ଟ ଆଶଙ୍କା ଭିତରେ ଅନେକ ନେତା ଟିକେଟ ପାଇବା ନେଇ ଆଶଙ୍କା ରହିଥିଲା । ଏବେ କିନ୍ତୁ ପଥ ପରିସ୍କାର ହୋଇଥିବାରୁ ଉଭୟ ଦଳର ନେତା ଆଶ୍ୱସ୍ତ ।

Advertisment

ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳ ଏକାକୀ ଉଭୟ ଲୋକସଭା ଏବଂ ବିଧାନସଭାର ସମସ୍ତ ଆସନରେ ଲଢିବ ବୋଲି ଘୋଷଣା କରିଥିଲେ । ଏହାପରେ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି । ଏହାପରେ ବିଜେଡିର ସାଂଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳ ସମସ୍ତ ଆସନ ପାଇଁ ପ୍ରସ୍ତୁତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ । ଏପରିକି ନିର୍ବାଚନରେ ବିଜେଡି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଦାବି କରିଛି, ରାଜ୍ୟରେ ସରକାର ଗଢିବେ । ଏବେ କେବଳ ଅପେକ୍ଷା ରହିଲା ବିଜେଡି ଓ ବିଜେପି ସମେତ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ।

ନିକଟରେ କଂଗ୍ରେସ କହିଥିଲା, ଦଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ରଖିଛି । ବିଜେପି ଓ ବିଜେଡିର ମେଣ୍ଟକୁ ନେଇ ସସପେନ୍ସ ରହିଥିବାରୁ କଂଗ୍ରେସ ମଧ୍ୟ ଜଗି ରହି ମୈଦାନକୁ ଓହ୍ଲାଇବା ଠିକ୍ ହେବ ବୋଲି ବିଚାର କରିଥିଲା । ଏବେ କିନ୍ତୁ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଥିବାରୁ ତିନି ଦଳ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରନ୍ତି ।