କର୍ମଚାରୀଙ୍କୁ କରିଦେଲେ କମ୍ପାନୀର ମାଲିକ । ଅଂଶଧନର ଲାଭାଂଶ ବାଣ୍ଟିଦେଲେ କର୍ମଚାରୀଙ୍କ ମଧ୍ୟରେ । ଏବେ ପ୍ରତି କର୍ମଚାରୀ ହୋଇଗଲେ କୋଟିପତି

1,516

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କିଛି କମ୍ପାନୀ ସେମାନଙ୍କର କର୍ମଚାରୀଙ୍କୁ ବାହାର କରିଦେଲେଣି ତ କେହି ଦରମା ଦେଇ ନପାରି ଲୁଚିଲେଣି । କେହି କେହି କର୍ମଚାରୀଙ୍କୁ ଦରମା ନଦେଇ ଜୋର ଜବରଦସ୍ତ କମ୍ପାନୀରୁ ବାହାର କରିଦେଲେଣି । ଏଭଳି ସ୍ଥିିତିରେ ଏମିତି ଏକ ଖବର ଆସିଛି କି ଜଣେ କମ୍ପାନୀର ମାଲିକ ତାଙ୍କର ସମସ୍ତ କର୍ମଚାରୀଙ୍କୁ କମ୍ପାନୀର ଲାଭାଂଶ ଦେଇ ସମସ୍ତ କର୍ମଚାରୀଙ୍କୁ କୋଟିପତି କରିଦେଇଛନ୍ତି ।

ମାଲିକ ହେବ ତ ଏମିତି । ଯେ କି ନିଜ କମ୍ପାନୀର ଲାଭ ସହ କର୍ମଚାରୀଙ୍କ ଲାଭ ବି ଚିନ୍ତା କରେ । ଏଭଳି ଜଣେ ମାଲିକ ଦେଖିବାକୁ ମିଳିଛି ବ୍ରିଟେନ୍ ରେ । ଏଠାରେ ଜଣ କମ୍ପାନୀର ମାଲିକ ତାଙ୍କ ଲାଭାଂଶର ଅଂଶଧନ କର୍ମଚାରୀ ମାନଙ୍କ ଭିତରେ ବାଣ୍ଟିଦେଲେ । ଏବେ ତାଙ୍କ କମ୍ପାନୀର ପ୍ରାୟ କର୍ମଚାରୀ କୋଟିପତି ହୋଇଯାଇଛନ୍ତି । କମ୍ପାନୀର ମାଲିକ ସେତେବେଳେ ଏଭଳି କରିଥିଲେ, ଯେତେବେଳେ କମ୍ପାନୀର ସେୟାର ସର୍ବାଧିକ ଉଚ୍ଚତାରେ ଟ୍ରେଡିଂ ହୋଇଥିଲା ଓ କମ୍ପାନୀ ବହୁପରିମାଣର ଅର୍ଥ ଲାଭ କରିଥିଲା ।

କର୍ମଚାରଙ୍କ ପ୍ରତି ଏଭଳି ବଦାନ୍ୟତା ଦେଖାଇଥିବା କମ୍ପାନୀ ଟି ହେଉଛି ‘ଦି ହଟ୍ ଗ୍ରୁପ୍’ ଓ ଏହାର ମାଲିକ ହେଉଛନ୍ତି ମେଥ୍ୟୁ ସୋଲ୍ଡିଂ । ମେଥ୍ୟୁ ତାଙ୍କ କମ୍ପାନୀର ଲାଭରୁ ୮୩୦ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୮,୧୮୩ କୋଟି ଟଙ୍କାର ଅଂଶଧନକୁ ବାଣ୍ଟିଦେଲେ । ଏନେଇ ସେ ଏକ ବାୟ ବ୍ୟାକ୍ ସ୍କିମ୍ ଆରମ୍ଭ କରିଥିଲେ । ଯାହାକି କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

ଏହି ଯୋଜନାର ଲାଭ ସେହି କର୍ମଚାରୀ ମାନଙ୍କୁ ମିଳିଲା ଯେଉଁ କର୍ମଚାରୀ ମାନେ କେବେ ବି ଏଭଳି ଆଶାକରି ନଥିଲେ । କେଉଁ କର୍ମଚାରୀଙ୍କୁ କେତେ ପ୍ରତିଶତ ଅଂଶଧନ ମିଳିବ ତାହା ନିର୍ଣ୍ଣୟ କରିଥିଲେ କମ୍ପାନୀୟ ମ୍ୟାନେଜର । ଏହି ଯୋଜନାର ଲାଭ କମ୍ପାନୀର ଡ୍ରାଇଭର ଠୁ ଆରମ୍ଭ କରି ମେଥ୍ୟୁଙ୍କ ବ୍ୟକ୍ତିଗତ ସହାୟକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଯାହା ଫଳରେ କିଛି କର୍ମଚାରୀ ଅଂଶଧନ ପାଇବା ପରେ କମ୍ପାନୀରୁ ବି ଅବସର ନେଇଥିବା ଜଣାପଡିଛି ।

ଏନେଇ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମେଥ୍ୟୁ କହିଛନ୍ତି କି ‘ମୁଁ ସମସ୍ତ କର୍ମଚାରୀଙ୍କୁ କମ୍ପାନୀର ଲାଭ ବାଣ୍ଟି ଦେବାକୁ ଚାହୁଁଥିଲି । ଯେଉଁଥି ପାଇଁ ମୁଁ ଏଭଳି ସ୍କିମ୍ କରିଥିଲି । ଏହାଦ୍ୱାରା କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ବହୁ ପରିମାଣର ଅର୍ଥ ମିଳିଛି । ’ ଏହି ଯୋଜନାରେ ଟଙ୍କା ନିବେଶ କରିବା ବେଳେ ବହୁ ଜଣ କର୍ମଚାରୀ ମୋତେ ହତୋତ୍ସାହିତ କରିଥିଲେ । ହେଲେ ମୁଁ ଜାଣିଥିଲି ଏହା ନିଶ୍ଚିନ୍ତ ଭାବେ ଲାଭ ଦାୟକ ହେବ ।

‘ଦ ହଟ୍ ଗ୍ରୁପ୍’ ଏକ ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀ । ଅନ୍ୟପଟେ କମ୍ପାନୀର ମାଲିକ ମେଥ୍ୟୁ ସୋଲ୍ଡିଂ ଜଣେ ବ୍ୟାୟାମକୁ ଭଲ ପାଉଥିବା ସୌଖିନ ବ୍ୟକ୍ତି । ସବୁବେଳେ ଫିଟ୍ ରହିଥାନ୍ତି ଏବଂ ସବୁବେଳେ ଲମ୍ବା ପାହୁଣ୍ଡ ପକାଇ ଚାଲିବାକୁ ଚେଷ୍ଟା କରିଥା’ନ୍ତି । ଏହାସହ ସେ ପିନ୍ଧୁଥିବା କପଡା ଓ ବ୍ୟବହାର କରୁଥିବା ବିଉଟି ପ୍ରଡକ୍ଟକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି । ମେଥ୍ୟୁଙ୍କୁ ବହୁଗୁଡିଏ ବିଜନେସ୍ ଆୱାର୍ଡ ମିଳିସାରିଛି, ସାରା ଦୁନିଆର ଅନେକ ବଡ ବଡ ନେତାଙ୍କ ସହିତ ରହିଛି ତାଙ୍କର ମଧୁର ସଂପର୍କ । ଅନ୍ୟପଟେ ମଉଜମସ୍ତିରେ ବଞ୍ଚିବାକୁ ସେ ଅଧିକ ପସନ୍ଦ କରିଥା’ନ୍ତି ।