ରାୟଗଡାରେ ବୋରୱେଲ ଟଙ୍କା ହଡପ୍। ପାଣି ପାଇବା ଆଶାରେ ଅପେକ୍ଷା କରିରହିଛନ୍ତି ଚାଷୀ।

82

କନକ ବ୍ୟୁରୋ: ଚାଷ ଜମିକୁ ମିଳିବ ପାଣି । ଚାଷୀଙ୍କ ସୁବିଧା ପାଇଁ କରାଯିବ ବୋରୱେଲ । ଏନେଇ ପ୍ରତି ଚାଷୀଙ୍କ ପାଖରୁ ନିଆଯାଇଛି ଟଙ୍କା । ଭଲ ଚାଷ ଆଶାରେ ଚାଷୀ ଟଙ୍କା ପୈଠ କରିଥିବା ବେଳେ ଏବେ କିନ୍ତୁ ନିରାଶ ହୋଇପଡିଛନ୍ତି । ପଇସା ତ ଗଲା ହେଲେ ଏଯାଏ ପାଣିର ସୁବିଧା କରାଯାଇପାରିଲା ନାହିଁ । ଗୋଟିଏ ବି ବୋରୱେଲ ଖୋଳାଯାଇନି । ଯାହାର ପ୍ରତିବାଦ କରିଛନ୍ତି ରାୟଗଡା ପେଣ୍ଟା ଗାଁର ଚାଷୀ । ସରକାରଙ୍କ ନିମାନୁଯାୟୀ ବିପିଏଲ ଚାଷୀ ୧୦ ହଜାର ଟଙ୍କା ଓ ଅନ୍ୟ ଚାଷୀ ମାନେ ୨୦ ହଜାର ଟଙ୍କା ପୈଠ କରିଥିଲେ । ପାଣି ପାଇଁ ନଳକୂଅ ଖୋଳା ହେବା ଲାଗି ୩ବର୍ଷ ହେଲା ଏହି ଟଙ୍କା ପୈଠ କରିଛନ୍ତି । ହେଲେ ନା ଖୋଳାହେଲା ନଳକୂଅ ନା ମିଳିଲା ପାଣି ।

ଚାଷୀର ଚାଷ ଜମି ଫାଟି ଆଁ କଲାଣି । ଖାଲି ସେତିକି ନୁହେଁ ଧାନ ସବୁ ଅଗାଡି ହୋଇଗଲାଣି । ଏକର ଏକର ଚାଷ ଜମିରେ ଧାନ ଚାଷ ପାଇଁ ଆଣିଥିବା ଋଣ କିଭଳିି ଶୁଝିବେ ଏବଂ ପରିବାର ପ୍ରତିପୋଷଣ କିଭଳି କରିବେ ସେ ନେଇ ଚିନ୍ତାରେ ପଡିଛି ଚାଷୀକୁଳ । ଚାଷ ଜମିକୁ ଜଳସେଚନର ସୁବିଧା ରହିଥିଲେ ମଧ୍ୟ ଓଦା ହେଉନି ଚାଷ ଜମି । ଆଉ ବୋରୱେଲ ପ୍ରକଳ୍ପକୁ ଆଶା କରି ଚାଷୀ ହନ୍ତସନ୍ତ ହୋଇ ଶେଷରେ ନିଜ ଜମିକୁ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଏନେଇ ଜିଲାପାଳଙ୍କୁ ଗୁହାରୀ କରିଥିବା ବେଳେ ତାଙ୍କର ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଚାଷୀ ।