କାବୁଲ ବିସ୍ଫୋରଣ ପରେ ଜରୁରୀ ବୈଠକ ଡାକିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ସେପଟେ ଅଧିକରୁ ଅଧିକ ଆଫଗାନବାସିଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରୟାସ ହେବ କହିଲେ ଫ୍ରାନ୍ସ ରାଷ୍ଟ୍ରପତି

194

କନକ ବ୍ୟୁରୋ : କାବୁଲ ବିସ୍ଫୋରଣ ପରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ସେପଟେ ଅଧିକରୁ ଅଧିକ ଆଫଗାନବାସିଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରୟାସ ହେବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି । ହେଲେ ଏବେ ଅନ୍ତର୍ଜାତୀୟ ସମୁଦାୟର ନଜର ଆମେରିକା ଉପରେ ଅଧିକ ରହିଛି । କାରଣ ୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକାର ଏହାର ସେନା ସମ୍ପୂର୍ଣ୍ଣ ରୂପେ ଅପସାରଣ କରିବାକୁ ତାଲିବାନ ଡେଡଲାଇନ ଦେଇସାରିଛି ।

ତେଣୁ ଏହି ବିସ୍ଫୋରଣରେ ଅନେକ ଆମେରକୀୟ ନାଗରିକ ମୃତାହତ ହେବା ପରେ ବାଇଡେନ ପ୍ରଶାସନର ଆଗାମୀ ପଦକ୍ଷେପ କ’ଣ ରହିବ, ତାହା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ତାଲିବାନ ଆଫଗାନିସ୍ତାନକୁ ଦଖଲ କରିନେବା ପରେ ଦେଶ ଛାଡି ଚାଲିଯିବାକୁ ଅନେକ ଲୋକ ଚାହୁଁଛନ୍ତି । ବିଟ୍ରେନ, ଅଷ୍ଟେଲିଆ, ଫାନ୍ସ, ଇଟାଲି ଭଳି ଦେଶ ମଧ୍ୟ ନିଜ ଦେଶର ନାଗରିକକୁ ଫେରାଇ ନେବାକୁ ଉଦ୍ୟମ କରୁଛନ୍ତି । ଭାରତ ମଧ୍ୟ ନିଜ ଦେଶର ନାଗରିକ ଫେରାଇ ଆଣିବାକୁ ଉଦ୍ୟମ କରୁଛି । ଏହାରି ଭିତରେ ଆତଙ୍କୀଙ୍କ ଟାର୍ଗେଟକୁ ଆସି ଯାଇଛି କାବୁଲ ଏୟାରପୋର୍ଟ । କାବୁଲରେ ସ୍ଥିତି ଅତି ଉଦବେଜଜନକ ରହିଛି । ଫଳରେ ପୂରା ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।