ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋରିସ୍ ଜନସନ୍ । ପ୍ରତିରକ୍ଷା, ମିଲିଟାରୀ କ୍ଷେତ୍ରରେ ବିକାଶ ପାଇଁ ଉଭୟ ଦେଶ ମଧ୍ୟରେ ହେବ ଆଲୋଚନା

99

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ହେବାର ଅଛି । ଏଥିପାଇଁ ଅହମ୍ମଦାବାଦରେ କାର୍ଯ୍ୟକ୍ରମ ସାରି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ବୋରିସ୍ ଜନସନ୍ । ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯକ୍ରମ ରହିଛି । ଏହା ସହ ମିଲିଟାରୀ ହାର୍ଡୱାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଇଣ୍ଡୋ ପ୍ୟାସିଫିକ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ଗତକାଲି ଗୁଜରାଟ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଜନସନ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କୁ ସ୍ୱାଗତ ଜଣାଇ ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଛି । ପରେ ପ୍ରଧାନମନ୍ତ୍ରୀ ଜନସନ ସାବରମତୀ ଆଶ୍ରମରେ ପହଞ୍ଚି ଆଶ୍ରମ ପରିଦର୍ଶନ କରିବା ସହ ଗାନ୍ଧୀଙ୍କ ଅରଟ ଚଳାଇଛନ୍ତି । ଏବଂ ଅରଟ ଚଳାଇ ସେ ବେସ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ଦେଶ ସ୍ବାଧୀନ ହେବାଦିନଠାରୁ ଗୁଜରାଟ ଗସ୍ତ କରିବାରେ ଜନସନ୍‌ ହେଉଛନ୍ତି ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ । ଭାରତରେ ପହଞ୍ଚିବା ମାତ୍ରେ ଜନସନ ଟ୍ବିଟ୍ କରି କହିଛନ୍ତି ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ମୋତେ ଖୁବ୍ ସୁନ୍ଦର ଲାଗୁଛି । ଦୁଇ ମହାନ ଦେଶ ମିଶି ଅନେକ କିଛି ହାସଲ କରିବାର ସମ୍ଭାବନା ସେ ଏଠାରେ ଦେଖୁଛନ୍ତି । ଚଳିତବର୍ଷ ଶେଷ ସୁଦ୍ଧା ସେ ଭାରତ ସହିତ ଆଉ ଏକ ବାଣିଜ୍ୟ ରାଜିନାମା ଶେଷ କରିବା ଲାଗି ଆଶାବାଦୀ ଅଛନ୍ତି । ବିଶ୍ବରେ ଏକଛତ୍ରବାଦ ବୃଦ୍ଧି ପାଉଥିବାରୁ ଉଭୟ ଭାରତ ଓ ବ୍ରିଟେନ ଉଦବେଗ ପ୍ରକାଶ କରିଛନ୍ତି ବୋଲି ଜନସନ୍‌ କହିଛନ୍ତି ।