ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରେ ଭର୍ତ୍ତି: ମାର୍ଚ୍ଚ ୨୭ରୁ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି ବୋରିସ; ଅବସ୍ଥା ଗୁରୁତର ଥିବା ସୂଚନା

ଆଶୁ ଆରୋଗ୍ୟ କାମନା କଲେ ମୋଦି

327

କନକ ବ୍ୟୁରୋ: ଆଇସିୟୁରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ତାଙ୍କର ଅବସ୍ଥା ଏବେ ଗୁରୁତର ରହିଛି । ଗତ ମାର୍ଚ୍ଚ ୨୭ ତାରିଖରେ ବୋରିସ ଜନସନଙ୍କଠାରେ କରୋନା ଭୂତାଣୁ ଠାବ ହେବା ପରେ ପରେ ସେ ତୁରନ୍ତ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଲଣ୍ଡନର ସେଂଟ ଥୋମାସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ତାଙ୍କଠାରେ ଦେଖା ଦେଇଥିବା କୋଭିଡ୍ ୧୯ ଭୂତାଣୁ ସଂକ୍ରମଣ ଲକ୍ଷଣ ସବୁ କମିବା ବଦଳରେ ବଢିବାକୁ ଲାଗିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଏବେ ସେ ସମସ୍ତ ଚିକିତ୍ସାକୁ ଗ୍ରହଣ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଭେନଟିଲେଟର ବି ରଖାଯାଇଛି । ତାଙ୍କଠାରେ କରୋନା ଭୂତାଣୁ ଗତ ୧୦ ଦିନ ତଳେ ଠାବ ହୋଇଥିଲା ।

ସୂଚନା ଅନୁସାରେ ରବିବାର ମଧ୍ୟାହ୍ନରୁ ତାଙ୍କର ଅବସ୍ଥା ବିଗିଡିଥିବା କୁହାଯାଉଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଥିବା ଡାକ୍ତରୀ ଟିମର ପରାମର୍ଶ କ୍ରମେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବୋରିସ୍ ଜନସନ ଆଇସିୟୁରେ ଭର୍ତି ହେବା ଖବର ଜଣାପଡିବା ପରେ ପରେ ବିଶ୍ୱନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତୁରନ୍ତ ସୁସ୍ଥ ହୋଇଯାଅନ୍ତୁ ବୋଲି କାମନା କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନ୍ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତୁମେ ସୁସ୍ଥ ହୋଇ ସକୁଶଳ ଫେରି ଆସ ବୋଲି ଟୁଇଟ୍ କରିଛନ୍ତି କାମେରୁନ୍ ।