ବ୍ରିଟେନରେ ସ୍ଥିତି ସାଙ୍ଘାତିକ । ଭାରତ ଆସିବେନି ବୋରିସ୍ । ମୋଦିଙ୍କୁ ଫୋନ କରି ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

419

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ । ଆସନ୍ତା ଜାନୁଆରି ୨୬ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ଆଜି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥାହୋଇ ଭାରତ ଗସ୍ତ ଲାଗି ନିଜ ଅକ୍ଷମତାକୁ ପ୍ରକାଶ କରିଥିଲେ । ଏହି ଟେଲିଫୋନ ଆଲୋଚନା ବେଳେ ଦୁଇ ରାଷ୍ଟ୍ରମୁଖ୍ୟ ଦ୍ବିପାକ୍ଷିକ ଓ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ସହମତ ହୋଇଥିଲେ ।

ତେବେ ବ୍ରିଟେନରେ ଏବେ କରୋନା ଭୁତାଣୁର ନୂଆ ପ୍ରକାର ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି । ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ।

ବ୍ରିଟେନରେ ନୂଆ କରୋନା ସଂକ୍ରମଣ ବ୍ୟାପିଚାଲିଥିବାବେଳେ ବ୍ରିଟେନରେ ଲକଡାଉନ ଘୋଷଣା କରାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଗାମୀ କିଛି ସପ୍ତାହ ବେଶ ଆହ୍ବାନମୂଳକ ରହିବ ବୋଲି ଜନସନ ନିଜ ଦେଶବାସୀଙ୍କୁ କହିଛନ୍ତି ।