ଓଡିଶା ସହ ସୀମା ବିବାଦ, ଭୁଲ ମାନିଲା ଆନ୍ଧ୍ର। କଥା ଦେଲେ ଆଗକୁ ଓଡିଶା ସୀମାରେ ଅନୁପ୍ରବେଶ କରିବନି ଆନ୍ଧ୍ର ପ୍ରଶାସନ

360

କନକ ବ୍ୟୁରୋ: ରାଇ ପାହାଡ଼ ସୀମା ବିବାଦ । ଭୁଲ ସ୍ୱୀକାର କଲା ଆନ୍ଧ୍ର । ରାଇପାହାଡକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦରେ ସମାଧାନ ହୋଇଛି । ଆଗକୁ ଓଡ଼ିଶା ସୀମାରେ ଅନୁପ୍ରବେଶ କରିବ ନାହିଁ ଅବା ତାଙ୍କ ରାଜ୍ୟର କୌଣସି ଯୋଜନା ଏଠାରେ କାର୍ଯ୍ୟକାରୀ କରିବ ନାହିଁ ବୋଲି କହିଛି ଆନ୍ଧ୍ର ପ୍ରଶାସନ । ଯୋଜନାର ପ୍ରଲୋଭନ ଦେଖାଇ ଓଡ଼ିଶାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିବା ଆନ୍ଧ୍ର ସରକାରକୁ ଶକ୍ତ ଝଟକା ଲାଗିଛି । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ଓଡ଼ିଶା ଦେଖାଇଥିବା ପ୍ରମାଣ ପତ୍ର ଦେଖି ଆନ୍ଧ୍ର ଅଧିକାରୀଙ୍କ ପାଟି ବନ୍ଦ ହୋଇଯାଇଥିଲା ।

ପୁଣି ଥରେ ବୈଠକ କରିବାକୁ କହି ଆସୁନଥିଲେ ଆନ୍ଧ୍ର ଅଧିକାରୀ । ଶେଷରେ କୋରାପୁଟ ଜିଲ୍ଲାପାଳ ଏମ. ଅଖତର ଆନ୍ଧ୍ରର ଏଏସଆର ଜିଲ୍ଲାପାଳ ସୁମିତ କୁମାରଙ୍କ ସହ ଫୋନଯୋଗେ କଥା ହୋଇ ବନ ବିଭାଗର ବିଭିନ୍ନ ମ୍ୟାପ ସହ ମାଡ୍ରାସ୍ ପ୍ରେସିଡେନ୍ସି ସମୟର ମ୍ୟାପକୁ ପ୍ରମାଣ ସ୍ୱରୂପ ଦେଖାଇଥିଲେ । ଏବଂ ବିବାଦକୁ ଆଗକୁ ନ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ଏଏସଆର ଜିଲ୍ଲାପାଳ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଘର ରାଇପାହାଡରେ ନିର୍ମାଣ କରାଯିବନାହିଁ । ରାଇପାହାଡର ନିୟୋଜିତ ଆଶାକର୍ମୀ ଆନ୍ଧ୍ରକୁ ଚାଲିଯିବେ ବୋଲି ଦୁଇ ଜିଲ୍ଲାପାଳଙ୍କ ମଧ୍ୟରେ ବୁଝାବଣା ହୋଇଛି । କୋରାପୁଟ ଜିଲ୍ଲାପାଳ କହିଛନ୍ତି ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ ହୋଇଛି । ଆନ୍ଧ୍ର ଜାରି କରିଥିବା ସମସ୍ତ କାର୍ଯ୍ୟାଦେଶକୁ ବାତିଲ କରିଛି ।