କନକ ବ୍ୟୁରୋ : ଓଡ଼ିଶା ସୀମାରେ ଜଗି ରହିିଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର ଗାଁ ମାଣିକପାଟଣାରେ ଏବେ ଆନ୍ଧ୍ର ସଶସ୍ତ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀ ଜଗିିଛନ୍ତି । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଂଚାୟତରେ ଆନ୍ଧ୍ର ମନ୍ତ୍ରୀ ଧମକ ଦେଇଯିବା ପରେ , ସେହି ଅଂଚଳରେ ଏବେ ୨୪ ଘଂଟିଆ ଆନ୍ଧ୍ର ପୋଲିସ କ୍ୟାମ୍ପ ଖୋଲି ପହରା ଦେଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଅନ୍ୟପଟେ ଆନ୍ଧ୍ର ପ୍ରଶାସନ ଦାଦାଗିରି ଦେଖାଉଥିଲେ ବି ଚୁପ୍ ବସିଛି ଓଡ଼ିଶା ପ୍ରଶାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ଏପରି ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏସମ୍ପର୍କରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ହୋଇପାରି ନାହିଁ ।
ମିଳିଥିବା ସୂଚନା ଅନୁସାରେ, ମାଣିକପାଟଣା ଗ୍ରାମରୁ ରବିବାର ଆନ୍ଧ୍ରପ୍ରଦେଶ ପୁଲିସ ଫୋର୍ସକୁ ହଟାଇ ଦିଆଯାଇଛି । ତେବେ, ସାଦା ପୋଷାକରେ ଦୁଇ ଆନ୍ଧ୍ର ପୁଲିସ କର୍ମଚାରୀ ସେଠାରେ ପଇଁତରା ମାରୁଛନ୍ତି । କେବଳ ସେତିକି ନୁହେଁ, ମଞ୍ଜୁଷା ମଣ୍ତଳର ଜଣେ ଅଧିକାରୀ ବର୍ତ୍ତମାନ ସ୍ବତନ୍ତ୍ର ଓ ସ୍ଥାୟୀ ଭାବେ ରାଜ୍ୟ ରାଜପଥରୁ ମାଣିକପାଟଣା ରାସ୍ତାରେ ନିୟୋଜିତ ଅଛନ୍ତି । ଆଉ ଓଡ଼ିଶାର ସରକାରୀ ଯାନବାହାନ ଓ ଅଧିକାରୀମାନଙ୍କ ଗତିବିଧି ଉପରେ ଟିକିନିଖି ନଜର ରଖାଯାଇଛି । ମଞ୍ଜୁଷା ଗ୍ରାମରୁ ମାଣିକପାଟଣାର ଦୂରତ୍ବ ହେଉଛି ୧୦ କିଲୋମିଟର। ଫଳରେ, ଓଡ଼ିଶା ଅଧିକାରୀଙ୍କ ଗସ୍ତ ନେଇ ଖବର ପାଇଲେ ତୁରନ୍ତ ପହଞ୍ଚିବା ପାଇଁ ମଣ୍ତଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମାଣିକପାଟଣା ଉପରେ ମଞ୍ଜୁଷା ମଣ୍ଡଳ ଅଧିକାରୀଙ୍କ ନଜର ହଟି ନ ଥିବାବେଳେ ଆନ୍ଧ୍ରଦ୍ବାରା ନିର୍ମିତ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଏବେ ବି ଚାଲିଛି। ଏଠାରେ ପିଲାଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯିବା ସହ ପାଠପଢ଼ା ମଧ୍ୟ ଜାରି ରହିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ, ଆନ୍ଧ୍ରର ଦାଦାଗିରିକୁ ବିରୋଧ କରି ଆସୁଥିବା ପୂର୍ବତନ ସରପଞ୍ଚ ତଥା ଗଙ୍ଗାବାଡ଼ ପଞ୍ଚାୟତର ପ୍ରମୁଖ ଆଦିବାସୀ ନେତା ହରିବନ୍ଧୁ କାର୍ଜୀ ବର୍ତ୍ତମାନ ମଞ୍ଜୁଷା ପୁଲିସର ନଜରରେ ରହିଛନ୍ତି । ତାଙ୍କ ବିରୋଧରେ ଲକ୍ଷ୍ମୀ ଶବର ନାମ୍ନୀ ଜଣେ ଅଙ୍ଗନବାଡ଼ି କର୍ମୀ ମଞ୍ଜୁଷା ଥାନାରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ମିଥ୍ୟା ମାମଲାରେ ଫସାଇବା ପାଇଁ ହରିବନ୍ଧୁଙ୍କୁ ଏଭଳି ଟାର୍ଗେଟ କରାଯାଉଛି ବୋଲି ଗଙ୍ଗାବାଡ଼ ବାସିନ୍ଦା କହିଛନ୍ତି । ହେଲେ, ଗିରଫ ଭୟରେ ଗତ ଏକ ସପ୍ତାହ ହେଲା ହରିବନ୍ଧୁ ନିଜ ଗ୍ରାମକୁ ଫେରିପାରୁନାହାନ୍ତି ।