କନକ ବ୍ୟୁରୋ : ଦୀର୍ଘ ୪୦ ବର୍ଷ ବିତିଗଲା । ସରକାର ଆମ ଦୁଃଖ ବୁଝିଲେ ନାହିଁ, ତେଣୁ ନିଷ୍ପତି ନେଇଛୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବୁ ନାହିଁ, ବରଂ ଓଡିଶା ଛାଡି ପଡୋଶୀ ରାଜ୍ୟରେ ମିଶିବୁ । ବାରମ୍ବାର କହିବା ପରେ ବି ଜିଲ୍ଲା ପ୍ରଶାସନ କି ସରକାର କେହି କଥା ବୁଝିଲେ ନାହିଁ । ଆଉ କଣ କରିବୁ, ତେଣୁ ଆନ୍ଧ୍ରରେ ମିଶିବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ରାୟଗଡା ଜିଲ୍ଲାର ଏମ୍ପଲବାଲସା ଗ୍ରାମବାସୀ ।
ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଏମ୍ପଲବାଲସା ଗାଁ । ରାୟଗଡା ବ୍ଳକ କେରେଡା ପଞ୍ଚାୟତ ଅନ୍ତର୍ଗତ ଏହି ଗାଁରେ ୪୦ଟି ପରିବାର ବସବାସ କରନ୍ତି । ୪୦ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଭାଙ୍ଗି ଗଲାଣି, ଆଉ କେତେକ ଘରେ ଜରି ପକାଇ ରହୁଛନ୍ତି ଲୋକେ । ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲା କୋମରଡା ବ୍ଲକର ପୋଦୁଗୁବାଲସା ଉପରେ ନିର୍ଭର କରିଥାନ୍ତି ଏମ୍ପଲବାଲସା ଗ୍ରାମବାସୀ ।
ଏମ୍ପଲବାଲସା ଗାଁ ଠାରୁ କେରେଡା ପଞ୍ଚାୟତ ୪ କିଲୋମିଟର ଦୂର ହୋଇଥିବା ବେଳେ ମଝି ରାସ୍ତାରେ ବିପଦ ସାଜୁଛି ନାଗାବଳି ନଦୀ । ପିଡିଏସ୍ ଚାଉଳ, ବିଭିନ୍ନ ଭତା ପାଇଁ ଲୋକେ ନଦୀ ପାର ହୋଇ ୪ କିମି ଚାଲି ଚାଲି ଯିବାକୁ ପଡିଥାଏ । ତେଣୁ ଗାଁ ପାଖରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ୪୦ ବର୍ଷ ହେଲା ଜିଲ୍ଲାପାଳ, ମନ୍ତ୍ରୀ, ନେତା ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ଆସୁଛନ୍ତି ଗ୍ରାମବାସୀ, ହେଲେ କେହି ଶୁଣୁନାହାନ୍ତି । ତେଣୁ ଏଥର ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ଆନ୍ଧ୍ରପ୍ରଦେଶରେ ମିଶିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଓଡିଶାର ଅବହେଳାର ଫାଇଦା ଉଠାଇ ଗ୍ରାମବାସୀଙ୍କୁ ପ୍ରଲୋଭିତ କରିଛନ୍ତି ପଡୋଶୀ ରାଜ୍ୟର ଅଧିକାରୀ । ଆନ୍ଧ୍ର ଅଧିକାରୀମାନେ ଏମ୍ପଲବାଲସା ଗାଁକୁ ଆସି କହିଛନ୍ତି, ତାଙ୍କ ରାଜ୍ୟରେ ମିଶିଲେ ଏ ଅବସ୍ଥା ରହିବ ନାହିଁ ବୋଲି କହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।