କନକ ବ୍ୟୁରୋ: ପ୍ରଥମ ପ୍ରର୍ଯ୍ୟାୟ ମତଦାନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିବା ପରେ ଆଶା କରାଯାଉଥିଲା ଦ୍ୱିତୀୟ ଦିନରେ ହୁଏତ ସେଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳିବନି । ସ୍ୱାଭାବିକ ହେବ ମତଦାନ । କିନ୍ତୁ ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସାକାଣ୍ଡର ଖବର ।
ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳ ପଟଶରାରୁ ଆସିଥିବା ଏହି ଦୃଶ୍ୟ ହେଉଛି ଏକ ଭୋଟଗ୍ରହଣ କେନ୍ଦ୍ରର । ଏହି ମତଦାନ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ୩୩ ଜଣ ମତଦାତା ଆସି ଭୋଟ ବି ଦେଇଥିଲେ । ମତଦାନ ଚାଲିଥିବାବେଳେ ଅଚାନକ, କିଛି ଦୁବୃର୍ତ ମାରଣାସ୍ତ୍ର ଧରି ବୁଥକୁ ଆସିଥିଲେ । କବାଟି ଭାଙ୍ଗି ଭିତରେ ପଶିବା ସହ ଭଂଗାରୁଜା କରିଥିଲେ । ପୁଲିଂ ଅଧିକାରୀ ଓ ଏଜେଂଟଙ୍କୁ ଆକ୍ରମଣ କରିଥିଲେ । ତାପରେ ଭୋଟ ବାସ୍କକୁ ଧରି ଚମ୍ପଟ ମାରିଛନ୍ତି । ଭୋଟ ଗ୍ରହଣ କେନ୍ଦ୍ରକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଏଠି ଦୁବୃର୍ତ ମାନେ କି କାଣ୍ଡ ଘଟାଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭଳି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବି ଯାଜପୁରର ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଦୃଶ୍ୟ । .. ଦଶରଥପୁର ବ୍ଲକ ଦଶରଥପୁର ପଂଚାୟତ ୯ନମ୍ବର ବୁଥର ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁବୃର୍ତ । ବ୍ଲକ ପାଖରେ ଥିବା ଏହି ବୁଥରୁ ପ୍ରିଜାଇଡିଂ ଅଫିସର ଚାଲି ଚାଲି ଯାଉଥିବାବେଳ କିଛି ଦୁବୃର୍ତ ଭୋଟ ବାକ୍ସକୁ ଛଡାଇ ନେଇ ଏହାକୁ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି ।
ସେହିପରି ଦଶରଥପୁର ବ୍ଲକ କନିକାପଡା ପଂଚାୟତ ୮ନମ୍ବର ବୁଥ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜଣେ ସରପଂଚଙ୍କ ସମର୍ଥକ ଏହି ପଂଚାୟତର ୨ ଓ ୩ ନମ୍ବର ବୁଥରେ ଗଣ୍ଡଗୋଳ କରିବା ସହ ଜବରଦସ୍ତ ଭୋଟ ଦେଉଥିବା ଦେଖାଯାଉଛି । ଦଶରପୁର ଜୟନ୍ତରା ପଂଚାୟତର ୧ନମ୍ବର ବୁଥରେ ବୁଥ ଜବରଦଖଲକାରୀଙ୍କୁ ବିରୋଧ କରିବାରୁ ଏଜେଂଟଙ୍କୁ ଆକ୍ରମଣ ହୋଇଛି । ଏଜେଂଟଙ୍କ ମୁଣ୍ଡ ଫଟାଇଦେବା ସହ ମୋବାଇଲ ଛଡାଇନେଇଥିବା ଅଭିଯୋଗ ।
ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆଖୋମରାର ପଂଚାୟତରୁ ଆସିଛି ଆହୁରି ସାଂଘାତିକ ଚିତ୍ର । ବୁଥ ଭିତରେ ପ୍ରିଜାଇଡିଂ ଅଫିସର ଓ ପୁଲିସ ଉପସ୍ଥିତିରେ କିଛି ମହିଳା ଏକାଧିକ ବ୍ୟକ୍ତିଙ୍କ ପାଇଁ ଭୋଟ ଦେଉଛନ୍ତି । ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଏନେଇ ପ୍ରଶ୍ନ କରିବାରୁ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ।