କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବୁଥ ରିଗିଂର ଲାଇଭ ଭିଜୁଆଲ ସାମ୍ନାକୁ ଆସିଛି । ଆପଣ ବିଶ୍ୱାସ କରିପାରିବେ ନାହିଁ, କେମିତି ଖୁଲମଖୁଲ୍ଲା ବୁଥ୍ ରିଗିଂ ଚାଲିଛି । କିଛି ସ୍ଥାନରେ ଦଳବଳ ଧରି ଜବରଦସ୍ତ ବୁଥ ଭିତରେ ପଶି ରିଗିଂ ହୋଇଛି, ତ ଆଉ କେଉଁଠି ଦଳୀୟ ଏଜେଣ୍ଟ ଆରାମରେ ଗୋଟିଏ ପରେ ଗୋଟିଏ ମୋହର ମାରି ଚାଲିଛନ୍ତି । ପ୍ରିଜାଇଡିଂ ଅଫିସରକୁ ଡରେଇ ଧମକେଇ ରାଜନୈତିକ ଦୁର୍ବୃତ ବାଲଟ ଛଡେଇ ନେଇ ମୋହର ମାରୁଥିବା ଭିଡିଓ ଭାଇରାଲ ହେଉଛି ।

Advertisment

ଓଡ଼ିଶାରେ ବିହାର ଷ୍ଟାଇଲ ନିର୍ବାଚନ ! ଦୁର୍ବୃତଙ୍କ କବଜାରେ ଗଣତନ୍ତ୍ର । ଯାଜପୁର ଜିଲ୍ଲା ରୁଦ୍ରପୁର ପଞ୍ଚାୟତର ଏକ ବୁଥ କେମିତି ରାଜନୈତିକ ଦୁର୍ବୃତଙ୍କ କବଜାକୁ ଆସିଯାଇଛି, ତାର ଚିତ୍ର ସାମ୍ନାକୁ ଆସିଛି । ଓଡିଶାରେ ବିହାର ଷ୍ଟାଇଲରେ ନିର୍ବାଚନ ହେଉଥିବା ଭଳି ମନେ ହେଉଛି । ଖୁଲମଖୁଲ୍ଲା ବୁଥ ରିଗିଂ । ସତେ ଯେମିତି ଗଣତନ୍ତ୍ରକୁ ପାଦ ତଳେ ଦଳି ଦିଆଯାଉଛି । ୫ ନମ୍ବର ୱାର୍ଡ଼ରେ ସରପଂଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ବୁଥ୍ ଭିତରେ ପଶି ଜୋର ଜବରଦସ୍ତ ଭୋଟ୍ ଦେଉଥିବାର ଭିଡ଼ିଓ ଭାଇରାଲ ହେଉଛି । ଏକାଧିକ ବ୍ୟକ୍ତି ବାଲଟ ବକ୍ସକୁ କବଜା କରି ଗୋଟିଏ ପରେ ଗୋଟିଏ ବାଲଟ ଭର୍ତି କରୁଥିବା ଭିଡିଓରୁ ଦେଖିବାକୁ ମିଳୁଛି ।

ସମାନ ଧରଣର ଚିତ୍ର ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରୁ । ଅରାବଳ ପଞ୍ଚାୟତରେ ବୁଥ ଜବରଦଖଲର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବୁଥ ନମ୍ବର ୧୫, ୧୬ ଓ ୧୭ରେ ଏଭଳି ଘଟଣା ଘଟିଥିବା ଖବର ମିଳିଛି । ବୁଥ ଭିତରେ ଥିବା ୩ ଜଣ ଲୋକ ବାଲାଟ ପେପରରେ ମୋହର ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମାନେ ପୋଲିଂ କର୍ମଚାରୀ କିମ୍ବା ଅନ୍ୟକେହି ବ୍ୟକ୍ତି ତାହା ଭିଡିଓରୁ ସ୍ପଷ୍ଟ ହେଉନାହିଁ । କିନ୍ତୁ ଗୋଟିଏ ପରେ ଗୋଟିଏ ବାଲଟ ଚିରି ନିଜେ ମୋହର ମାରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୁଲିସ ।

ପ୍ରିଜାଇଡିଂ ଅଫିସରଙ୍କ ଆଗରେ ବୁଥ କ୍ୟାପଚର । ଢେଙ୍କାନାଳରୁ ଆସିଲା ବୁଥ ରିଗିଂର ଦୃଶ୍ୟ । ଢେଙ୍କାନାଳରୁ ଏପରି ଏକ ଦୃଶ୍ୟ କଏଦ ହୋଇଛି ଯାହା ମତଦାନର ଭିନ୍ନ ଚିତ୍ର ସାମ୍ନାକୁ ଆଣିଛି । କିଛି ବ୍ୟକ୍ତି ବଳ ପୂର୍ବକ ବୁଥରେ ପଶି ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ ବାଲଟ ଛଡାଇ ନେଉଥିବା ଦେଖିବାକୁ ମିଳିଛି । ନିହଲ ପ୍ରସାଦ ଦଶହରା ପଡିଆ ପ୍ରାଥମିକ ବିଦ୍ୟାଳୟର ୩ଟି ବୁଥ ଜବରଦଖଲ ଯୋଗୁଁ ଭୋଟଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ବୁଥ କାପଚର ସହ ପ୍ରିଜାଇଡିଂ ଅଫିସରଙ୍କୁ ଧମକ ଚମକ ଦେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

୨୫ଟି ସ୍ଥାନରେ ପୁନଃମତଦାନ ପାଇଁ ପ୍ରସ୍ତାବ । ଶୁକ୍ରବାର ଭୋଟ ପାଇଁ ସତର୍କ ହେଲେ ନିର୍ବାଚନ କମିଶନ । ବିଭିନ୍ନ ସ୍ଥାନରୁ ବୁଥ ରିଗିଙ୍ଗ ଦୃଶ୍ୟ ଭିତରେ ନିର୍ବାଚନ କମିସନଙ୍କ ସଚିବ କହିଛନ୍ତି ୨୫ଟି ସ୍ଥାନରୁ ପୁନଃ ମତଦାନ ପ୍ରସ୍ତାବ ଆସିଛି । ପ୍ରଥମେ ୧୫ଟି ବୁଥରେ ଅନିୟମିତତା ହୋଇଥିବା ନେଇ ଖବର ଆସିଥିଲା, ଏବେ ଏହା ୨୫ରେ ପହଞ୍ଚିଛି । ସେପଟେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିବାରୁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ । ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି ।