କେନ୍ଦ୍ରାପଡା ବିଧାନସଭା ଆସନରେ ହୋଇପାରେ ବୁଥ୍ କ୍ୟାପଚରିଂ । ବିଜେପି-କଂଗ୍ରେସ ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଆଶଙ୍କା କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ।

296

କନକ ବ୍ୟୁରୋ : ବିଜୟ ପାଇଁ ନୂଆ ଫର୍ମୁଲା । କେନ୍ଦ୍ରାପଡା ବିଧାନସଭା ଆସନରେ ବିଜୟ ଧ୍ୱଜା ଉଡାଇବା ପାଇଁ ବୁଥ କ୍ୟାପଚରିଂ କରିପାରନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏଭଳି ପରିସ୍ଥିତିର ଆଶଙ୍କା କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏବେ କେନ୍ଦ୍ରାପଡା ଲୋକସଭା ଆସନ ଉପରେ ପୂରା ରାଜ୍ୟର ଫୋକସ ରହିଥିବା ବେଳେ ଏହା ଅଧିନରେ ଆସୁଥିବା କେନ୍ଦ୍ରାପଡା ବିଧାନସଭା ଆସନରେ ବୁଥ କ୍ୟାପଚରିଂ ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରୁଛି ବିଜେଡି ।

କେଉଁ କେଉଁ ବୁଥରେ ଏଭଳି ସ୍ଥିତି ଉପୁଜିପାରେ ତାହାର ପୂରା ତାଲିକା ଦେଇଛି ବିଜେଡି । ୩୧ ପଞ୍ଚାୟତ/ ୱାର୍ଡ ଓ ୯୧ ସମ୍ବେଦନଶୀଳ ବୁଥରେ ଏଭଳି ସ୍ଥିତି ଉପୁଜିପାରେ ବୋଲି ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛି ବିଜେଡି । ବୁଥ ଦଖଲ ପାଇଁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ଲାନ ପ୍ରସ୍ତୁତ କରାଯାଉଥିବା କହିଛି ବିଜେଡି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଏହି ବୁଥ ଗୁଡିକରେ ସିସିଟିଭି ଲଗାଯିବା ସହ ଅତିରିକ୍ତ ସୁରକ୍ଷାବଳ ଯୋଗାଇ ଦିଆଯାଉ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି ।

କେନ୍ଦ୍ରାପଡା ଉପରେ ଏବେ ସମସ୍ତଙ୍କର ଫୋକସ ରହିଥିବା ବେଳେ ବୁଥ ଦଖଲର ଆଶଙ୍କା ଦେଖାଦେଇଛି । ଯାହା ଉଭୟ କେନ୍ଦ୍ରାପଡା ଓ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଦଳୀୟ ବୁଥ୍ ଏଜେଣ୍ଟ ଅଗଣତାନ୍ତ୍ରିକ ଉପାୟରେ ମତଦାନ କେନ୍ଦ୍ରରେ ଭୋଟ କରାଇଲେ ତାହାକୁ ବୁଥ ଦଖଲ ବୋଲି କୁହାଯାଇଥାଏ । ଯାହାଦ୍ୱାରା ନିର୍ବାଚନର ଫଳାଫଳ ପ୍ରଭାବିତ ହୋଇଥାଏ । ତେଣୁ ବିଜେଡି ଆଣିଥିବା ଏଭଳି ସଙ୍ଗୀନ ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ବୁଥ ଗୁଡିକ ପାଇଁ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।