କନକ ବ୍ୟୁରୋ : ଜୋରଜବରଦସ୍ତ ବୁଥ ରିଗିଂର ଭିଡିଓ ସାମ୍ନାକୁ ଆସିଛି । କିଭଳି ଗଣତନ୍ତ୍ରକୁ ଖୋଲାଖୋଲି ଦଳି ଦିଆଯାଉଛି ତାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତରୁ ଆସିଛି ଏହି ଦୃଶ୍ୟ । ୫ ନମ୍ବର ୱାର୍ଡ଼ରେ ସରପଂଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ବୁଥ୍ ଭିତରେ ପଶି ଜୋର ଜବରଦସ୍ତ ଭୋଟ୍ ଦେଉଥିବାର ଭିଡ଼ିଓ ଭାଇରାଲ ହେଉଛି । ଏକାଧିକ ବ୍ୟକ୍ତି ବାଲଟ ବସ୍କକୁ ନିଜ କବଜାକୁ ନେଇ ଗୋଟିଏ ପରେ ଗୋଟିଏ ବାଲଟ ଭର୍ତି କରୁଥିବା ଭିଡିଓରୁ ଦେଖିବାକୁ ମିଳୁଛି ।

Advertisment

ଏହି ଭିଡିଓରେ ଜଣେ ଯୁବତୀ ମଧ୍ୟ ଅଛନ୍ତି । ଗତକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ବୁଥ ରିଗିଂର ଏହି ଭିଡିଓ ସାମ୍ନାକୁ ଆସିଥିଲା । ଘଟଣା ପରେ ଗଣ୍ଡଗୋଳ ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଏହି ୱାର୍ଡ଼ରେ ନିର୍ବାଚନ ବାତିଲ ହୋଇଥିବା ବେଳେ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସମାନ ଧରଣର ଚିତ୍ର ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରୁ । ଅରାବଳ ପଂଚାୟତରେ ବୁଥ ଜବରଦଖଲର ଭିଡିଓ ଭାଇରାଲ ହେବାରେ ଲାଗିଛି । ବୁଥ ନମ୍ବର ୧୫, ୧୬ ଓ ୧୭ରେ ଏଭଳି ଘଟଣା ଘଟିଛି । ବୁଥ ଭିତରେ ଥିବା ୩ ଜଣ ଲୋକ ବାଲାଟ ପେପରରେ ମୋହର ମାରୁଥିବାର ଦୃଶ୍ୟ ଦଖିବାକୁ ମିଳିଛି । ଏମାନେ ପୋଲିଂ କର୍ମଚାରୀ କିମ୍ବା ଅନ୍ୟକେହି ବ୍ୟକ୍ତି ତାହା ଭିଡିଓରୁ ସ୍ପଷ୍ଟ ହେଉନାହିଁ । କିନ୍ତୁ ଗୋଟିଏ ପରେ ଗୋଟିଏ ବାଲଟ ଚିରି ନିଜେ ମୋହର ମାରୁଥିବା ଦେଖିବାକୁ ମିଳୁଛି । ସେହିପରି ଏହି ପଂଚାୟତର ୮ ନମ୍ବର ବୁଥରେ ମଧ୍ୟ ଜବରଦଖଲ ଯୋଗୁଁ ଭୋଟ୍ ବାତିଲ ହୋଇଥିବା ଜଣାପଡିଛି ।

ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁ ନାମକ ଦୁଇ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଗିରଫ କରୁଣାକର ଆଚାର୍ଯ୍ୟ ନିଜେ ସରପଂଚ ପ୍ରାର୍ଥୀ । ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ୫ ନମ୍ବର ୱାର୍ଡରେ ବୁଥ ରିଗିଂ ଘଟଣାରେ ତାଙ୍କୁ ଗିରଫ କରାଯାଇଛି । କରୁଣାକରଙ୍କ ସହ ତାଙ୍କ ଝିଅ ଓ ଦୁଇ ପୁଅ ମଧ୍ୟ ବୁଥ ରିଗିଂ ଘଟଣାରେ ସାମିଲ ଥିବା ଭାଇରାଲ ଭିଡିଓରୁ ଜଣାପଡୁଛି ।

ଏହାବାଦ ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ଚଇନିହୁଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୬ ନମ୍ବର ଓ ୭ ନମ୍ବର ବୁଥ ଏବଂ ଅରାବଳ ପଂଚାୟତର ୮ ନମ୍ବର ବୁଥ ରିଗିଂ ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ମୋଟ୍ ୧୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ନିର୍ବାଚନ ବେଳେ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଯାଜପୁର ଏସପି କହିଛନ୍ତି ।