କରୋନା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ଆସିବ ବୁଷ୍ଟରଡୋଜ : ଟିକସ ଅଧିକାରୀଙ୍କ ସହ ମୋଦିଙ୍କ ଆଜି ବୈଠକ; ଭିତିଭୂମି ପ୍ରକଳ୍ପ ଓ କରଦାତାଙ୍କ ପାଇଁ ହୋଇପାରେ ବଡ ଘୋଷଣା

406

କନକ ବ୍ୟୁରୋ : କରୋନା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସଜାଡିବା ଲାଗି ସରକାର ଖୁବଶୀଘ୍ର ଆଣିପାରନ୍ତି ଆଉ ଏକ ବୁଷ୍ଟର ଡୋଜ । ଭିତିଭୂମି ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ଘୋଷଣା ହୋଇପାରେ ।  ସ୍ଥାନୀୟ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ଏହି ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଟିକସ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ।  ଏଥିରେ ଟିକସଦାତାଙ୍କ ହିତ ପାଇଁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏହାପରେ ପ୍ରଧାନମନ୍ତ୍ରୀ  ଏହି ବୁଷ୍ଟରଡୋଜ ଘୋଷଣା କରିପାରନ୍ତି । ଆତ୍ମନିର୍ଭର ଭାରତର ଅଂଶବିଶେଷ ସ୍ଥାନୀୟ ଶିଳ୍ପଗୁଡିକୁ ଅଧିକ ପ୍ରତିଯୋଗିତା ମୂଳକ କରାଯିବ । ଟିକସଦାତାଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।

ଟିକସ ସ୍ୱଚ୍ଛତାକୁ ଏଥିରେ ଗୁରୁତ୍ୱ ଦିଆଯିବ । ଘୋଷଣା ହେବାକୁ ଥିବା ବୁଷ୍ଟରଡୋଜରେ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ଏହାଛଡା ଏକ ଟ୍ୟାକ୍ସପେୟାର ଚାର୍ଟର ଉନ୍ମୋଚନ ହୋଇପାରେ । ଏଥିରେ ଟିକସଦାତାମାନେ ଅଧିକ ସଶକ୍ତ ହେବେ । ନିଜ ଅଧିକାର ସମ୍ପର୍କରେ ସେମାନେ ଅଧିକ ସଚେତନ ହୋଇପାରିବେ । ପ୍ରତ୍ୟକ୍ଷ ଟିକସ ସଂସ୍କାରକୁ ଆଗକୁ ନେବା ପାଇଁ ଏଭଳି ଘୋଷଣା ହେବ ।