କନକ ବ୍ୟୁରୋ : ଆଜିଠାରୁ ଦିଆଯିବ ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ । ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କରୋନା ଯୋଦ୍ଧା ଏବଂ ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ନେବେ ତୃତୀୟ ଡୋଜ । ଏଥିପାଇଁ ନୂଆ ପଂଜିକରଣ କରିବାକୁ ପଡିବ ନାହିଁ । କେବଳ ଆପଏଣ୍ଟମେଣ୍ଟ ନେଇ ପ୍ରିକସନ ଡୋଜ ନେଇ ହେବ । ତେବେ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ ବିତିଥିବା ଆବଶ୍ୟକ । ବିଭିନ୍ନ ରୋଗରେ ପୀଡିତ ବରିଷ୍ଠ ନାଗରିକମାନେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନେବେ ।

ପୂର୍ବରୁ ଯିଏ ଯେଉଁ ଟିକା ନେଇଥିବେ ଏବେ ପ୍ରିକସନାରୀ ଡୋଜ ଭାବେ ସେହି ଟିକା ନେବେ । ଅର୍ଥାତ୍ ଯିଏ କୋଭାକ୍ସିନର ଦୁଇ ଡୋଜ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜ ଭାବେ ସେହି କୋଭାକ୍ସିନ ଦିଆଯିବ । ସେହିପରି କୋଭିସିଲ୍ଡ ନେଇଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ସେହି କୋଭିସିଲ୍ଡ ଟିକା ନେବେ । ଶନିବାର ସଂଧ୍ୟାରୁ ଅନ୍ ଲାଇନ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁମାନେ ଅନଲାଇନ୍ ଆପଏଣ୍ଟମେଣ୍ଟ ନେଇନଥିବେ ସେମାନେ ଅନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରରେ ଆପଏଂଟମେଂଟ ନେଇ ତୃତୀୟ ଡୋଜ ନେଇପାରିବେ ।

ଯୋଗ୍ୟତା :
ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ରୁ ଊର୍ଦ୍ଧ୍ବ ବୟସ୍କ ସମସ୍ତ ବ୍ୟକ୍ତି, ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧା ଯେଉଁମାନଙ୍କ ଦ୍ବିତୀୟ ଡୋଜ୍ ନେବାର ୩୯ ସପ୍ତାହ ପୂରଣ ହୋଇଥିବ।

୧ମ ଓ ୨ୟ ଡୋ‌ଜ୍ ଭାବେ ଯେଉଁ ଟିକା ନେଇଛନ୍ତି, କେବଳ ସେହି ଟିକା ନେଇପାରିବେ ।

ଯେଉଁ ସ୍ବାସ୍ଥ୍ୟକର୍ମୀ ବା କରୋନା ଯୋଦ୍ଧା ପ୍ରଥମ ଦୁଇଟି ଡୋଜ୍ ସାଧାରଣ ନାଗରିକଭାବେ ନେଇଛନ୍ତି ଏବଂ ସ୍ବାସ୍ଥ୍ୟକର୍ମୀ ବା କରୋନା ଯୋଦ୍ଧା ଭାବେ କୋ-ୱିନ୍‌ରେ ନିଜକୁ ପଞ୍ଜୀକୃତ କରିନାହାନ୍ତି, ସେମାନେ ୨ୟ ଡୋଜ୍ ନେବାର ନିର୍ଦ୍ଦିଷ୍ଟ ଅବଧି ପରେ ନିଜର ନିଯୁକ୍ତି ପ୍ରମାଣପତ୍ର ସହ ସରକାରୀ ଟିକାକେନ୍ଦ୍ରକୁ ଯିବାକୁ ପଡ଼ିବ ।

ପଞ୍ଜୀକରଣ :
ବୁଷ୍ଟର୍‌ ଡୋଜ୍ ପାଇଁ ନୂଆ ପଞ୍ଜୀକରଣର ଆବଶ୍ୟକତା ନାହିଁ।

ଏପରି କି ଯେଉଁମାନେ ୨ଟି ଟିକା ୨ଟି ରେଜିଷ୍ଟ୍ରେସନ ମାଧ୍ୟମରେ ନେଇଛନ୍ତି, ସେମାନଙ୍କୁ ବି ସାନି ପଞ୍ଜୀକରଣର ଆବଶ୍ୟକତା ନାହିଁ । ସେମାନଙ୍କର ସବୁ ତଥ୍ୟକୁ ଅପ୍‌ଡେଟ୍ କରାଯିବ ।

କେବଳ ପ୍ରଥମ ଡୋଜ୍ ପାଇଁ ଫ୍ରେସ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିଥାଏ।
ଟିକା ଦେବା ସମୟରେ ଟିକାଦାତା ହିତାଧିକାରୀଙ୍କ
କ) ରେଫରେନ୍ସ ଆଇଡି (ଯାହା ଆପଏଣ୍ଟମେଣ୍ଟ ସ୍ଲିପ୍ ଓ ଟିକା ସାର୍ଟିଫିକେଟରେ ଉପଲବ୍ଧ)
ଖ) ଟିକାକରଣ ପାଇଁ ବ୍ୟବହୃତ ପରିଚୟପତ୍ର ଓ
ଗ) ମୋବାଇଲ ନମ୍ବର ଯାଞ୍ଚ କରିବେ

ଯୋଗାଯୋଗ :
୨ୟ ଟିକା ନେବାର ୩୯ ସପ୍ତାହ ପରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସ୍ମାରକ ଏସ୍‌ଏମ୍‌ଏସ୍ ପଠାଯିବ ।

ପ୍ରିକସନ ଡୋଜ୍ ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ଜିଲ୍ଲା ପ୍ରଶାସନ ଓ ସାଇଟ୍ ମ୍ୟାନେଜରଙ୍କ ପାଖରେ ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯାଇଛି ।
ପ୍ରିକସନ ଡୋଜ୍ ପାଇଁ ପ୍ରୟୋଜନ ହେଲେ ସ୍ବତନ୍ତ୍ର ଟିକାକରଣ ଟିମ୍ ସହ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇପାରେ ।

ଆପଏଣ୍ଟମେଣ୍ଟ:
୮ ଜାନୁଆରି ୨୦୨୨ରୁ ହିତାଧିକାରୀମାନେ ଅନ୍‌ଲାଇନ୍ ବୁକ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

୧୦ ଜାନୁଆରି ୨୦୨୦ରୁ ଟିକାକରଣ କେନ୍ଦ୍ରକୁ ଯାଇ ମଧ୍ୟ ଆପଏଣ୍ଟମେଣ୍ଟ ନେଇହେବ ।

ଯାଞ୍ଚ :
୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଯାଞ୍ଚ କଲାବେଳେ ଟିକାଦାତା ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା (କୋ-ମର୍ବିଡିଟି) ବିଷୟରେ ଯାଞ୍ଚ କରିବେ ।

ସେ ପ୍ରିକସନ ଡୋଜ୍ ନେବା ପାଇଁ ଡାକ୍ତରୀ ପରାମର୍ଶ ନେଇଛନ୍ତି କି ନା ବୁଝିବେ ।

ହିତାଧିକାରୀ ଯେଉଁ ତଥ୍ୟ ଦେବେ ତାକୁ ଭିତ୍ତି କରି ଫର୍ମ ପୂରଣ କରାଯିବ ଏବଂ ତାଙ୍କୁ କୌଣସି ସାର୍ଟିଫିକେଟ ଦେବାକୁ ବାଧ୍ୟ କରାଯିବ ନାହିଁ ।