କରୋନାର ବୁଷ୍ଟର ଡୋଜ୍ ଜରୁରୀ କି ନାହିଁ ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ ।

243

କନକ ବ୍ୟୁରୋ : କରୋନା ଟିକା ନେବା ପରେ ବୁଷ୍ଟର ଡୋଜର ଆବଶ୍ୟକତା ଅଛି ନା ନାହିଁ ? ଏହାକୁ ନେଇ ବିତର୍କ ଚାଲିଥିବାବେଳେ ଆଜି ଦେଶର ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା ଆଇସିଏମଆର୍ ମତ ରଖିଛି । ଏହି ସଂସ୍ଥାର ବିଶେଷଜ୍ଞ ଡାକ୍ତର ସମିରନ ପଣ୍ଡା କହିଛନ୍ତି, ବୁଷ୍ଟର ଡୋଜ ଦେବା ପାଇଁ କୌଣସି ବୈଜ୍ଞାନିକ ଆଧାର ଏ ଯାଏଁ ମିଳିନାହିଁ ।

ଦିଆଯିବ କି କରୋନା ଟିକାର ବୁଷ୍ଟର ଡୋଜ୍ ? ଆଇସିଏମଆର କହିଲା ବୁଷ୍ଟର ଡୋଜ୍ ପାଇଁ ମିଳିନି ବୈଜ୍ଞାନିକ ଆଧାର । ଦେଶରେ କରୋନା ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ ଖୁବଶୀଘ୍ର ନିଷ୍ପତି ନିଆଯାଇପାରେ ବୋଲି ଭାରତୀୟ କୋଭିଡ୍ ଜେନୋମିକ୍ସ କନସୋର୍ଟିଅମର କୋ-ଚେୟାରମ୍ୟାନ ଡକ୍ଟର ଏନକେ ଆରୋରା କହିବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା । କୋଭାକ୍ସିନ୍ କରୋନା ଟିକା ନିର୍ମାତା ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲ୍ଲା ମଧ୍ୟ କହିଥିଲେ, ଦ୍ୱିତୀୟ ଡୋଜର ୬ ମାସ ପରେ ବୁଷ୍ଟର ଡୋଜ୍ ନେବାର ପ୍ରକୃଷ୍ଟ ସମୟ ।

ତେବେ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ବିଶେଷଜ୍ଞ ଡକ୍ଟର ସମୀରନ୍ ପଣ୍ଡା କହିଛନ୍ତି, ଭାରତରେ ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ଦିଆଯିବାର ଆବଶ୍ୟକତା ନେଇ କୌଣସି ବୈଜ୍ଞାନିକ ଆଧାର ନାହିଁ । ବୁଷ୍ଟର ଡୋଜ୍ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବିଶେଷଜ୍ଞ କମିଟି ଏ ନେଇ ପଲିସି ନିର୍ଦ୍ଧାରଣ କରିବା ପାଇଁ କହିଥିଲେ । ତେବେ ବୈଜ୍ଞାନିକ ଆଧାରରେ ଏହା ପ୍ରସ୍ତୁତ ହୋଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବୁଷ୍ଟର ଡୋଜର ଆବଶ୍ୟକତା ସମ୍ପର୍କରେ କିଛି ବୈଜ୍ଞାନିକ ଆଧାର ମିଳିନାହିଁ । ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ବର୍ତ୍ତମାନର ପ୍ରାଥମିକତା ।

ନଭେମ୍ବର ସୁଦ୍ଧା ଦେଶରେ ବୁଷ୍ଟର ଡୋଜ୍ ଦିଆଯିବା ନେଇ ନୀତି ନିର୍ଦ୍ଧାରଣ ହେବ ବୋଲି ଆକଳନ କରାଯାଉଥିଲା । ତେବେ ଆଇସିଏମଆରର ବିଶେଷଜ୍ଞ ଡକ୍ଟର ସମୀରନ୍ ପଣ୍ଡାଙ୍କ ମନ୍ତବ୍ୟରୁ ଜଣାପଡୁଛି, ବର୍ତମାନ ବୁଷ୍ଟର ଡୋଜ୍ ସପକ୍ଷରେ ନାହିଁ ଦେଶର ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା ।