କନକ ବ୍ୟୁରୋ : ଦୀର୍ଘ ୪ ମାସର ଆଶ୍ୱସ୍ତି ପରେ ପୁଣି କରୋନା ଭୟ ଫେରୁଛି । ଦିଲ୍ଲୀ, ହରିୟାଣା ଓ ୟୁପି ଭଳି ରାଜ୍ୟରେ ସଂକ୍ରମଣ ବଢିବା, ଚତୁର୍ଥ ଲହର ଆଶଙ୍କାକୁ ବଢାଇ ଦେଇଛି । ଆଶ୍ୱସ୍ତିକର କଥା ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଚିନ୍ତାର ବିଷୟ ହେଉଛି, ଏପରି ସମୟରେ ରାଜ୍ୟରେ ବୁଷ୍ଟର ଡୋଜ ନେବାକୁ ଲୋକେ ଆଗ୍ରହୀ ହେଉ ନାହାନ୍ତି । ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମଣ କମିଥିବା ଯୋଗୁଁ ଲୋକେ ଆଉ ଟିକା ନେବାକୁ ଗୁରୁତ୍ୱ ଦେଉ ନାହାନ୍ତି । ଏପରିକି ମାସ୍କ ଓ ସାମାଜିକ ଦୂରତା ରକ୍ଷା ଭଳି ବଳବତ୍ତର ଥିବା କରୋନା କଟକଣାକୁ ମାନୁନାହାନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

Advertisment

କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର ହେଉଛି ଟିକାକରଣ, ଏଥିପାଇଁ କରୋନା ଟିକାର ଦୁଇଟି ଡୋଜ ନେବାର ୬ ମାସ ପରେ ୧୮ରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ ଡୋଜ ଦିଆଯାଉଛି । କିନ୍ତୁ ରାଜ୍ୟରେ ବୁଷ୍ଟର ଡୋଜ ନେବାକୁ ଲୋକେ ଆଗ୍ରହୀ ହେଉନାହାନ୍ତି । କରୋନା ସଂକ୍ରମଣ କମିଥିବାରୁ ଲୋକେ ଢିଲା ହେଉଛନ୍ତି । ବର୍ତମାନ ସୁଦ୍ଧା
ରାଜ୍ୟରେ ୧୭% ବୁଷ୍ଟର ଡୋଜ ନେଇଛନ୍ତି
ଅର୍ଥାତ୍ ୧୦ ଲକ୍ଷ ୧୯ ହଜାର ୮୮୧ ଜଣ ବୁଷ୍ଟର ଡୋଜ ନେଇଛନ୍ତି
ଘରୋଇ ହସ୍ପିଟାଲରେ ପ୍ରିକସନ ଡୋଜ ନେଇଛନ୍ତି ୬ହଜାର ୭୨୭ ଜଣ
କିନ୍ତୁ ୫୯ ଲକ୍ଷ ୪୨ ହଜାର ୭୯୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା

ସେପଟେ ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ଓ ସଂପଦ ଦାସ କହିଛନ୍ତି, ଦେଶରେ ସଂକ୍ରମଣ ବଢୁଛି, ଚତୁର୍ଥ ଲହର ନେଇ ଆଶଙ୍କା ରହିଛି । ଏପରି ସମୟରେ ୧୮ ବର୍ଷରୁ ଅଧିକ ବୟସ୍କର ସମସ୍ତେ ବୁଷ୍ଟର ଡୋଜ ନେବା ନିହାତି ଜରୁରୀ । ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକାର ପ୍ରଭାବ କମୁଥିବା ବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ପୁଣି ବୁଷ୍ଟର ଡୋଜ ସଶକ୍ତ କରିଥାଏ । ବୁଷ୍ଟର ଡୋଜ, ପୂର୍ବ ଡୋଜ ତୁଳନାରେ ଅଧିକ ଆଂଟିବଡି ତିଆରି କରିବ । ବୁଷ୍ଟର ଡୋଜ ଭୂତାଣୁ ବିରୋଧରେ ଲଢିବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି ଦୁଇ ବରିଷ୍ଠ ଡାକ୍ତର ।

ରାଜ୍ୟରେ କରୋନା ସଂକ୍ରମଣ କମିଥିବାରୁ, ସବୁ ବର୍ଗର ଲୋକ ଟିକା ନେବାକୁ ଆଗ୍ରହ ଦେଖାଉନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ୱୀକାର କରିଛି । ତେଣୁ ଲୋକଙ୍କୁ ଟିକା ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ । ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ କୁହାଯାଇଛି । ଭିଡ ସ୍ଥାନକୁ ଗଲେ ନିହାତି ମାସ୍କ ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ସ୍ଥିତି ଜଟିଳ ହେଉଥିବା ବେଳେ ଓଡିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୨୦ ମଧ୍ୟରେ ରହୁଛି । ତେଣୁ ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟରେ କରୋନା ସ୍ଥିତି ନିୟ୍ନ୍ତ୍ରଣରେ ରହିବ ବୋଲି କହିଛନ୍ତି ପରିବାର କଲ୍ୟାାଣ ନିର୍ଦ୍ଦେଶକ । ସେପଟେ ମାସ୍କ କଟକଣା ହଟାଇଥିବା ରାଜ୍ୟ ଗୁଡିକ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି ।