ଦ୍ୱିତୀୟ ଡୋଜ ନେବାର କେତେ ଦିନ ମଧ୍ୟରେ ନେବେ ବୁଷ୍ଟର ଡୋଜ୍ ? ଜାଣନ୍ତୁ କ’ଣ କହିଲା ଭାରତ ବାୟୋଟେକ୍

1,137

କନକ ବ୍ୟୁରୋ : ଦ୍ୱିତୀୟ ଡୋଜ୍ ନେବାର ୬ ମାସ ମଧ୍ୟରେ ବୁଷ୍ଟର ଡୋଜ୍ ନେବା ଉପଯୁକ୍ତ ସମୟ ବୋଲି କହିଛି ଭାରତ ବାୟୋଟେକ୍ । ଭାରତ ବାୟୋଟେକର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା କହିଛନ୍ତି, ଏ ସଂପର୍କରେ ସରକାର ଅନ୍ତିମ ନିଷ୍ପତି ନେବେ । ଏହା ସହ ସେ କହିଛନ୍ତି, ନାଜାଲ ଟିକା ଭାଇରସର ସଂକ୍ରମଣକୁ ରୋକିବାରେ ସାଧାରଣ ଟିକା ଅପେକ୍ଷା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହା ଦ୍ୱାରା ଟିକା ନେଇଥିବା ଲୋକଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ରହିବ ନାହିଁ ।

ନାଜାଲ ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଥିବା ବେଳେ ସେ ସଂପର୍କିତ ତଥ୍ୟକୁ ବିଶ୍ଲେଷଣ କରାଯାଉଥିବା କହିଛନ୍ତି କ୍ରିଷ୍ଣା ଏଲ୍ଲା । ୩୬ଟି ଦେଶର କରୋନାର ବୁଷ୍ଟର ଡୋଜ୍କୁ ଅନୁମତି ଦେଇ ସାରିଲେଣି । ଆମେରିକା, ତୁର୍କୀ, ଜର୍ମାନୀ, ଅଷ୍ଟ୍ରିଆ, କାନାଡା, ଫ୍ରାନ୍ସ ଆଦି ଦେଶରେ ବୁଷ୍ଟର ଡୋଜ୍ ଦିଆଯାଉଛି । ଆମେରିକାରେ ସର୍ବାଧିକ ୧ କୋଟି ୨୪ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେଇଛି । ଦ୍ୱିତୀୟ ସର୍ବାଧିକ ଭାବେ ତୁର୍କୀରେ ୧ କୋଟି ୧୯ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି ।

ସେପଟେ, କରୋନାର ସଂପୂର୍ଣ୍ଣ ଟିକା ନେଇଥିଲେ ମୃତ୍ୟୁ ଆଶଙ୍କା ୧୬ ଗୁଣା କମ୍ । ହସ୍ପିଟାଲ ଆଇସିୟୁରେ ଭର୍ତି ହେବାର ଆଶଙ୍କା ବି କମ୍ । ଅଷ୍ଟ୍ରେଲିଆର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଆମେରିକାର ଟେକ୍ସାସରେ ମଧ୍ୟ ଏନେଇ ପୃଥକ ଭାବେ ତଥ୍ୟ ସଂଗ୍ରହ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକା ନେଇଥିବା ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୬ ଜଣ କରୋନାରେ ମୃତ୍ୟୁ ଓ ଆଇସିୟୁରେ ଭର୍ତି ହେଉଛନ୍ତି ।

ଟିକା ନେଇନଥିବା ଲୋକ ଟିକା ନେଇଥିବା ଲୋକଙ୍କଠାରୁ ୨୦ ଗୁଣା ଅଧିକ ବିପଦରେ ଅଛନ୍ତି । ୩୦ରୁ ୪୦ ବର୍ଷ ମଧ୍ୟରେ ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ବିପଦ ୪୮ ଗୁଣା ଅଧିକ ଥିବା ବେଳେ ୪୦ରୁ ୫୦ ବର୍ଷ ବୟସ ବର୍ଗର ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଂକା ୬୩ ଗୁଣା ଅଧିକ ।