‘ଗଛ କବିତା’ ଓ ‘ଗଛ’ ପତ୍ରିକା ଉନ୍ମୋଚିତ, ପରିବେଶ ନଷ୍ଟ କରି କରାଯାଉଥିବା ବିକାଶ, ବିକାଶ ନୁହେଁ ବିନାଶ : ସୌମ୍ୟରଞ୍ଜନ ପଟ୍ଟନାୟକ

85

କନକ ବ୍ୟୁରୋ : ସମ୍ବାଦ ଭବନ ପରିସରରେ ଗଛ ପତ୍ରିକା ଓ କବିତା ପୁସ୍ତକ ଉନ୍ମୋଚିତ । ପ୍ରେରଣା ଅନୁଷ୍ଠାନର ମୁଖ୍ୟ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଦ୍ୱାରା ସମ୍ପାଦିତ ଗଛ ପତ୍ରିକା ଓ ଲିଖିତ ଗଛ କବିତାର ଉନ୍ମୋଚନ କରାଯାଇଛି । ଆଜିର ସମୟରେ ଗଛ ର ଉପକାରିତା ଓ ଆବଶ୍ୟକତାକୁ ନେଇ ଏହି ଅବସରରେ ଆଲୋଚନା ହୋଇଛି ।

ସମ୍ବାଦ ଗ୍ରୁପର ଚେୟାରମ୍ୟାନ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ରାସ୍ତାଟିଏ ତିଆରି କରି ଯୋଗାଯୋଗ ସୁବିଧା କରିବାକୁ ହେଲେ ଶହ ଶହ ଗଛ କାଟିବାକୁ ପଡ଼ିବ, ଶିଳ୍ପାନୁଷ୍ଠାନ ନିର୍ମାଣ କରି ନିଯୁକ୍ତି ଦେବା ପାଇଁ ଜଙ୍ଗଲ ନଷ୍ଟ ହେବ, ଉପକୂଳର ବିକାଶ ପାଇଁ ଆମେ ଯେତେ ସବୁ ଉପାୟ ଚିନ୍ତା କରୁଛେ, ପରୋକ୍ଷରେ ସନ୍ତୁଳିତ ପରିବେଶକୁ ଧ୍ବଂସ କରିବାର ମସୁଧା ହିଁ କରୁଛେ । ଏହା ଆଜି ନୁହେଁ, ବର୍ଷ ବର୍ଷର ବ୍ୟବସ୍ଥା । ଆଜି ଯେଉଁ ଦେଶଗୁଡ଼ିକ ସ୍ଥିତିବାନ ହୋଇଛନ୍ତି, ପ୍ରଥମେ ସେମାନେ ହିଁ ପରି‌ବେଶ ନଷ୍ଟ କରି ବିକଶିତ ହୋଇଛନ୍ତି। ଆଜି ଯେତେବେଳେ ଭାରତ ଭଳି ‌ବିକାଶଶୀଳ ଦେଶ ବିକାଶର କଥା କହୁଛି, ସେହି ବିକଶିତ ଦେଶମାନେ ହିଁ ଆମକୁ ପରିବେଶ ସୁରକ୍ଷାର ଦ୍ବାହି ଦେଉଛନ୍ତି । ଏଣୁ ରାଜନେତା, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞ; ଯେଉଁମାନେ ବିକାଶ ବିଷୟରେ ଚିନ୍ତା କରୁଛନ୍ତି, ସେମାନଙ୍କୁ ସମାନ୍ତରାଳ ଭାବେ ପରିବେଶ କଥା ଚିନ୍ତା କରିବାକୁ ପଡ଼ିବ। କାରଣ ପରିବେଶ ନଷ୍ଟ କରି କରାଯାଉଥିବା ବିକାଶ, ବିକାଶ ନୁହେଁ ବିନାଶ ।

ଲୋକମାନଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଗଛ ନାମରେ ପତ୍ରିକା ଓ କବିତା ପୁସ୍ତକ ପ୍ରକାଶ କରାଯାଇଥିବା ପୂବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି । ଏଥିସହ ସେ କହିଛନ୍ତି, ପରିବେଶ ସୁରକ୍ଷା ସମ୍ପର୍କରେ ଆମେ ସମସ୍ତେ ଅବଗତ କିନ୍ତୁ ଖରା ଦିନେ ଉଷ୍ମତା ବଢ଼ିଲେ, ଫନି ଭଳି ବାତ୍ୟା ହେଲେ ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଲେ ହିଁ ଆମେ ପରିବେଶକୁ ନେଇ ସଚେତନ ହେଉ । ନିଜ ନିଜ ‌କ୍ଷେତ୍ରରେ ରହି ଆମେ କିଭଳି ପରିବେଶକୁ ସୁରକ୍ଷା କରିପାରିବା ସେ ନେଇ ସଚେତନ ହେବା ଉଚିତ। ସବୁଠାରୁ ମୂଳ କଥା, ନିଜ ସହ ଅନ୍ୟ କଥା ବି ଚିନ୍ତା କରିବା ଓ ଅନ୍ୟ ସମସ୍ତଙ୍କୁ ଏଥିରେ ସାମିଲ କରିବା । କାରଣ ଯେତେ ପର୍ଯ୍ୟନ୍ତ ପରିବେଶ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ସମସ୍ତେ ହୃଦୟରୁ ସଚେତନ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ପରିବେଶ ବିପର୍ଯ୍ୟୟକୁ ରୋକି ହେବ ନାହିଁ ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ କହିଛନ୍ତି, ଗଛ ଛାଇ ତଳେ ମାନବ ସଭ୍ୟତା ଦିନେ ଗଢ଼ି ଉଠିଥିଲା । କିନ୍ତୁ ଆଜି ସେଇ ସଭ୍ୟତା ହିଁ ଗଛ ବିନାଶର କାରଣ ହୋଇଛି। ଗାଁ ଦିନେ ସହରକୁ ଗଢ଼ିଥିଲା, ଏବେ ସେଇ ସହର ଗାଁକୁ ଗିଳିବାକୁ ବସିଲାଣି । ଏଭଳି ପରିସ୍ଥିତିରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାକୁ ନେଇ ଶ୍ରୀ ଶ୍ରୀଚନ୍ଦନଙ୍କ ନିରବଚ୍ଛିନ୍ନ ଉଦ୍ୟମ, ଆନ୍ଦୋଳନ ପ୍ରଶଂସନୀୟ। ନାନା ପ୍ରକାର ପରିହାସ, ଉପେକ୍ଷା ଓ ଅନାଦର ଭିତରେ ସେ ଆଜି ସଫଳ ହୋଇଛନ୍ତି । ବିଶିଷ୍ଟଙ୍କ ଦ୍ବାରା ସ୍ବୀକୃତି ମଧ୍ୟ ପାଇଛନ୍ତି ।