କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା : ବୋନସ୍ ଦେବାରେ ବ୍ୟୟ ହେବ ୨୭୯୧ କୋଟି ଟଙ୍କା

454

କନକ ବ୍ୟୁରୋ : କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲ୍‌ବି) ପ୍ରଦାନକୁ ଅନୁମୋଦନ କରାଯାଇଛି । ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫ୍‌ଓ, ଇଏସ୍‌ଆଇସି ଆଦି ସଂସ୍ଥାରେ କାର୍ଯ୍ୟ କରୁଥିବା ୧୬.୯୭ ଲକ୍ଷ ଅଣ ଗେଜେଟେଡ କର୍ମଚାରୀ ଏହା ଦ୍ୱାରା ଉପକୃତ ହେବେ ।

ବୋନସ ବାବଦରେ ୩ ହଜାର ୭୩୭ କୋଟି ଟଙ୍କା ତୁରନ୍ତ ରିଲିଜ୍ କରିବାକୁ କୁହାଯାଇଛି । ଫଳରେ ୩୦ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏଥିରେ ଉପକୃତ ହେବେ । ବିଶେଷ କରି ନନ୍ ଗେଜେଟେଡ୍ କର୍ମଚାରୀମାନେ ଏଥିରେ ଲାଭବାନ ହେବେ । ଦଶହରା ପୂର୍ବରୁ ପ୍ରଥମ ଇଷ୍ଟଲମେଂଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳବାଇ, ପୋଷ୍ଟ ଅଫିସ, ଇପିଏଫଓ ଭଳି ଉତ୍ପାଦନକାରୀ ସଂସ୍ଥାଗୁଡିକର ୧୭ ଲକ୍ଷ କର୍ମଚାରୀଙ୍କୁ ବୋନସ ବାବଦରେ ୨ ହଜାର ୭୯୧ କୋଟି ଟଙ୍କା ଦିଆଯିବ ।

ସେହିପରି ନନ୍-ପ୍ରଡକ୍ଟିଭ୍ ସଂସ୍ଥାର ୧୩ ଲକ୍ଷ କର୍ମଚାରୀଙ୍କୁ ବୋନସ ଆକାରରେ ମିଳିବ ୯ ଶହ ୪୬ କୋଟି ଟଙ୍କା । କରୋନା ସମୟରେ ମଧ୍ୟବିତ ପରିବାର ହାତରେ ଟଙ୍କା ଦେଇ ବଜାରକୁ ଚଳଚଂଚଳ କରିବାକୁ ଉଦ୍ୟମ କରିଛନ୍ତି ମୋଦୀ ସରକାର ।