କନକ ବ୍ୟୁରୋ: ଘାଟି ମଣିଷଙ୍କ ଦେବଦୂତ । ୨ ବର୍ଷ ହେବ ବଣ୍ଡା ଘାଟିର ସ୍ୱାସ୍ଥ୍ୟ ସେବାର ଚିତ୍ର ବଦଳାଇ ଦେଲେ ଡାକ୍ତର ବାବୁ । ଲୋକଙ୍କ ସହିତ ମିଶିଲେ, ସଚେତନ କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭଲ କରିଦେଲେ । ସେବେଠାରୁ ବଣ୍ଡା ମଣିଷଙ୍କଠାରୁ ଧିରେ ଧିରେ ଦୂରେଇ ଯାଇଛି ଗୁଣି ଗାରେଡି ଉପରୁ ବିଶ୍ୱାସ । ଦିନେ ଯେଉଁଠି ରୋଗୀଙ୍କୁ ଖୋଜି ପାଉ ନଥିଲେ ଡାକ୍ତର ଆଜି ସେଇଠି ରୋଗୀଙ୍କ ଲମ୍ବା ଲାଇନ୍ । କିଏ ଜ୍ୱର ତ ଆଉ କିଏ ବିଭିନ୍ନ ରୋଗରୁ ଚିକିତ୍ସା ପାଇଁ ଆସିଛନ୍ତି ଧାଇଁ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଣ୍ଡାଘାଟିର ସେଇ ଦ୍ୱିତୀୟ ଭଗବାନ ପାଇଁ ହୋଇଛି ପରିବର୍ତନ ।

ବଣ୍ଡାଘାଟିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ରୋଗୀଙ୍କ ଲାଗିଛି ଲମ୍ବା ଲାଇନ୍ । ଯେଉଁ ସ୍ଥାନ ଜନଶୂନ୍ୟ ହୋଇପଡିଥିଲା । ଆଜି ସେହି ସ୍ଥାନରେ ଜମିଛି ଗହଳି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ପାହାଡ ଉପରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ ଦେଖିବାକୁ ମିଳିଛି । ୨ ବର୍ଷ ହେଲା ସେଠାରେ ନିଯୁକ୍ତି ପାଇଛନ୍ତି ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ । ବଣ୍ଡାଘାଟିରେ ତାଙ୍କୁ ଦ୍ୱିତୀୟ ଭଗବାନ ବୋଲି ମାନୁଛନ୍ତି ଲୋକ । ଭାଷା ବୁଝିପାରୁନଥିବା ବଣ୍ଡା ରୋଗୀଙ୍କୁ ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତମ ଚିକିତ୍ସା ଯୋଗାଉଛନ୍ତି ଡାକ୍ତର ଚମ୍ପେଶ୍ୱର । ଦିନ ରାତି ଗାଁ ଗଣ୍ଡାରେ ବୁଲିବୁଲି ବଣ୍ଡାଘାଟିର ଅନେକ ସ୍ଥାନରେ ସେ ସଚେତନତା ସୃଷ୍ଟି କରିପାରିଛନ୍ତି । ନିଜ ଭାଷାରେ ଅନ୍ୟକୁ ଅନୁବାଦ କରି ବୁଝାଇ ସମସ୍ତ ସୁବିଧା ଯୋଗାଉଛନ୍ତି ଡାକ୍ତର । ଆଉ ବଣ୍ଡାଘାଟିର ବାସିନ୍ଦା ବି ବେଶ ଖୁସି ହୋଇଛନ୍ତି ।

ବଣ୍ଡାଘାଟିରେ ସ୍ୱାସ୍ଥ୍ୟସେବା ପହଂଚାଇବା ସହଜ କରିପାରିନଥିଲା ପ୍ରଶାସନ । ବାରମ୍ବାର ଘାଟି ମଣିଷଙ୍କୁ ସଚେତନତା କଲେ ମଧ୍ୟ ସେମାନେ ଗୁଣିଗାରେଡିରୁ ନେଇ ସମସ୍ତ ଅନ୍ଧବିଶ୍ୱାସରେ ବଂଚୁଥିଲେ । ଏବେ କିନ୍ତୁ ବଦଳିଛି ସ୍ୱାସ୍ଥ୍ୟକେନ୍ଦ୍ରର ଭାଗ୍ୟ । ଡାକ୍ତର ଚମ୍ପେଶ୍ୱରଙ୍କ ସହିତ ତାଙ୍କ ଧର୍ମପତ୍ନୀ ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ଲାଗିପଡିଛନ୍ତି । ସ୍ୱାମୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଥିଲେ ସେ ନିଜେ ସମୟ ବାହାରକରି ଲୋକଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଯାଇଥାନ୍ତି । ଏପରିକି ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କୁ ସଚେତନ କରି ସେମାନଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତନ ଆଣିପାରିଛନ୍ତି ।

ଡାକ୍ତରଙ୍କ ଯୋଗୁ ବଦଳିଯାଇଛି ବଣ୍ଡା ଘାଟିର ସ୍ୱାସ୍ଥ୍ୟସେବାର ଚିତ୍ର । ଅପହଂଚ ଇଲାକାରେ ବଣ୍ଡା ଜନଜାତିଙ୍କ ସହ ଯୋଡିହୋଇ ସ୍ୱାସ୍ଥ୍ୟସେବା ଯୋଗାଇ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତନ ଆଣି ପ୍ରଶଂସା ସାଉଁଟିଛନ୍ତି ଡାକ୍ତର ଜଣକ ।