କନକ ବ୍ୟୁରୋ : ଏକଦା ଭାରତୀୟ ଜନତା ପାର୍ଟି (ବିଜେପି)ର ଗଡ଼ ବୋଲି କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବିଧାନସଭା କ୍ଷେତ୍ର ଏବେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କବଜାରେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଘରୋଇ ଅଞ୍ଚଳ ବଣାଇଁରୁ ଗତ ନିର୍ବାଚନରେ ସିପିଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନ ମଣ୍ଡଳୀରେ କ୍ରମେ ବିଜୁ ଜନତା ଦଳ (ବିଜେଡି) ନିଜ ସ୍ଥିତି ସୁଦୃଢ କରିଥିବା ବିଗତ ଜିଲ୍ଲା ପରିଷଦ ନିର୍ବାଚନରୁ ସ୍ପଷ୍ଟ ହୋଇଛି। ତେବେ କଂଗ୍ରେସ ସହ ଆଗକୁ ନିର୍ବାଚନୀ ମେଣ୍ଟ ସମ୍ଭାବନା ଥିବାରୁ ଏହି ଆସନରେ ବିଜୟ ଧ୍ୱଜା ଉଡାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ସିପିଏମ ।

Advertisment

୨୦୧୪ ନିର୍ବାଚନରେ ସିପିଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜେଡିର ଦୟାନିଧି କିସାନଙ୍କୁ ହରାଇ ବିଜୟୀ ହୋଇଥିଲେ। ସିପିଏମ୍ ୩୯,୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୩୭,୩୦୭ ଖଣ୍ଡ ଭୋଟ ପାଇଥିଲା। କଂଗ୍ରେସ ପ୍ରାର୍ଥୀ ଭୀମସେନ ଚୌଧୁରୀ ୩୭,୧୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଭାରତୀୟ ଜନତା ପାର୍ଟିର ଲୁଥାର ଓରାମ ୨୫,୭୬୬ ଖଣ୍ଡ ଭୋଟ ପାଇଥିଲେ।

୨୦୦୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭୀମସେନ ଚୌଧୁରୀ ୩୦,୪୯୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସିପିଏମର ଲକ୍ଷ୍ମଣ ମୁଣ୍ଡା ୨୭,୧୩୯ ଖଣ୍ଡ ଭୋଟ ପାଇଥିଲେ। ତେବେ ଯଦି କଂଗ୍ରେସ-ସିପିଏମ ମଧ୍ୟରେ ମେଣ୍ଟ ହୁଏ ତେବେ ପୂର୍ବରୁ ଦୁଇ ପ୍ରତିଦ୍ୱନ୍ଦୀ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ କିଏ ନିର୍ବାଚନ ଲଢିବ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଗତ ଦୁଇଟି ନିର୍ବାଚନରେ ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କର ଦବଦବା ଦେଖିବାକୁ ମିଳିଛି । ସିଧାସଳଖ କହିବାକୁ ଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା କିମ୍ବା ପରାଜିତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଗତ ଦୁଇଟି ନିର୍ବାଚନରେ ସିପିଏମର ଭୋଟ ହାର ବୃଦ୍ଧି ପାଇଥିବା ବେଳେ ବିଜେପିର ଭୋଟହାର ହ୍ରାସ ପାଇଛି ।

ତେବେ ବିଜେଡି ଗଠନର ୧୪ ବର୍ଷ ପରେ ପ୍ରଥମ ଥର ପାଇଁ ବଣାଇଁ ମୈଦାନକୁ ଓହ୍ଲାଇଥିଲା ଦଳ । ଏହି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୟାନିଧି କିଷାନ ବେଶ ଭଲ ପ୍ରଦର୍ଶନ କରିଥଲେ ।  ଏହାଛଡା ୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇ ବିଜେଡି ପ୍ରାର୍ଥୀ ଦେଇ ଖୁବ୍ ଭଲ୍ ପ୍ରଦର୍ଶନ କରିବା ସହ ଦ୍ବିତୀୟ ସ୍ଥାନରେ ରହିଥିଲା। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୮ଟି ଜିଲ୍ଲା ପରିଷଦ କ୍ଷେତ୍ର ମଧ୍ୟରୁ ବିଜୁ ଜନତା ଦଳ ୭ଟିରେ ବିଜୟୀ ହୋଇଥିଲା। ଦଳୀୟ ବିଧାୟକ ଥାଇ ସିପିଏମ୍ କେବଳ କୋଇଡ଼ା ବ୍ଲକର ଗୋଟିଏ ଆସନରେ ବିଜୟୀ ହୋଇଥିଲା। ତେଣୁ ପଞ୍ଚାୟତ ନିର୍ବାଚନର ସଫଳତା ଦୋହରାଇବା ସହ ବାମଗଡରେ ପ୍ରଥମଥର ପାଇଁ ସବୁଜ ବାନାରେ ଉଡାଇବାକୁ ତୃଣମୂଳସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି । ବିଜେଡି ଟିକେଟ ରେସରେ ଦୟାନିଧି କିଷାନଙ୍କ ନାଁ ଉପରେ ଥିବା ବେଳେ କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଣଜିତ କିସାନ ମଧ୍ୟ ଟିକେଟ ଲବିରେ ରହିଛନ୍ତି । ସେହିଭଳି ଭୁବନେଶ୍ୱର ସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାମ କରୁଥିବା ପାଣ୍ଡବ ମୁଣ୍ଡାଙ୍କ ନାଁ ମଧ୍ୟ ଆଶାୟୀ ତାଲିକାରେ ସାମିଲ ହୋଇଛି ।

ଗତ ନିର୍ବାଚନ ଗୁଡିକରେ ଚତୁଃମୁଖୀ ଲଢେଇ ଦେଖିବାକୁ ମିଳିଥିବା ବେଳେ ଚଳିତଥର ସିପିଏମ ପକ୍ଷରୁ ଏକମାତ୍ର ଦାବିଦାର ଭାବେ ଲକ୍ଷ୍ମଣ ମୁଣ୍ଡା ରହିଛନ୍ତି । ସେହିଭଳି କଂଗ୍ରେସ ଟିକେଟରୁ ଭୀମସେନ ଚୌଧୁରୀ ଲଢିବା ପାଇଁ ଲବି କରୁଛନ୍ତି । ମେଣ୍ଟ ନ କରି ଯଦି କଂଗ୍ରେସ ନିର୍ବାଚନ ଲଢେ, ତେବେ ଜନାର୍ଦ୍ଦନ ଦେହୁରୀ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ଏହାବାଦ୍ ଯଦି କଂଗ୍ରେସ-ସିପିଏମ ମଧ୍ୟରେ ମେଣ୍ଟ ହୁଏ ତେବେ ଏହି ଆସନ ସିପିଏମ ଭାଗରେ ପଡିବ ତେଣୁ ଏଠାରେ କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ କିଭଳି ମନାଇବାରେ ସକ୍ଷମ ହେବ ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

ପୂର୍ବରୁ ଏହି ବିଧାନସଭା ମଣ୍ଡଳୀ ଜୁଏଲ୍ଙ୍କର ଥିଲା। ସେ ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ତେଣୁ ଏହି ଆସନରେ ପୁଣିଥରେ ଗେରୁଆ ବାନା ଉଡାଇବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକେଟ୍ ପାଇବା ପାଇଁ ଖଣି ବ୍ୟବସାୟୀ ଅନିଲ ବାର୍ଲା ଜୋର୍ଦାର୍ ଲବି କରୁଛନ୍ତି। ଅନ୍ୟତମ ଆଶାୟୀ ହେଲେ ଲହୁଣିପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସେବତୀ ନାଏକ। ବଣାଇଁ ସାଂଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଉଗ୍ରସେନ ପ୍ରଧାନ , ଲହୁଣିପଡ଼ା ବ୍ଲକ୍ ଖୁଟଗାଁ ସରପଞ୍ଚ ଅଜୟ ନାୟକ ମଧ୍ୟ ଟିକେଟ୍ ପାଇବା ପାଇଁ ବିଜେପି ଶିବିରରେ ଲବି କରୁଛନ୍ତି। କିନ୍ତୁ ଦଳୀୟ ଟିକେଟ୍ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତା  ଅପେକ୍ଷା ଜୁଏଲଙ୍କ ଆନୁଗତ୍ୟ ଉପରେ ନିର୍ଭର କରିବ। ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ ଭିନ୍ନ ସଂକେତ ଦେଇଥିବା ବେଳେ ଆଗାମୀ ନିର୍ବାଚନରେ ବଣାଇଁଗଡରେ କାହାକୁ ଭୋଟର ବିଜୟମାଳା ପିନ୍ଧାଇବେ ତାହା ଦେଖିବା ବାକି ରହିଲା ।