କନକ ନ୍ୟୁଜ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ! ସ୍କୁଲ ଓ କଲେଜ ଘର ତିଆରି କରିଥିବା ଠିକାସଂସ୍ଥାକୁ ମିଳିଥିଲା କାମ

20

pandaକନକ ବ୍ୟୁରୋ : ବିନା ଅଭିଜ୍ଞତାରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସକୁ ମିଳିଛି ଓଭରବ୍ରିଜ୍ ନିର୍ମାଣର ଟେଣ୍ଡର । କନକ ନ୍ୟୁଜ୍ ହାତରେ ଲାଗିଛି ଏହାର ପ୍ରମାଣ । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୁବନେଶ୍ୱରର ବୋମିଖାଲ ବ୍ରିଜ୍ ସହ ପୋଖରୀପୁଟ ଏବଂ ଜଟଣୀ ଓ ସମ୍ବଲପୁରରେ ଏହି ଠିକା କମ୍ପାନୀ ଫ୍ଲାଏ ଓଭର ନିର୍ମାଣ କରୁଛି । ହେଲେ କନକ ନ୍ୟୁଜ୍ ହାତରେ ଲାଗିଥିବା ପ୍ରମାଣ କହୁଛି, ଅଭିଜ୍ଞତା ବିନା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସକୁ ଓଭରବ୍ରିଜ୍ ନିର୍ମାଣର ଦାୟିତ୍ୱ ଦେଇଛନ୍ତି ସରକାର ।

କନକ ନ୍ୟୁଜ୍ ହାତରେ ଲାଗିଥିବା ଏହି ପ୍ରମାଣ କହୁଛି ଓଭରବ୍ରିଜ୍ ନିର୍ମାଣ କରିବାରେ ନାହିଁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସର ଅଭିଜ୍ଞତା । ଓଭର ବ୍ରିଜ୍ ଟେଣ୍ଡର ହାତେଇବା ପାଇଁ ଏହା ସଂସ୍ଥା ସରକାରଙ୍କ ପାଖରେ ଦାଖଲ କରିଥିବା ତଥ୍ୟ ଅନୁସାରେ , ବର୍ଷ ବର୍ଷ ଧରି କେଉଁଠି ବିଲଡିଂ ତ ଆଉ କେଉଁଠି ଅଫିସ କୋଠା ତିଆରି କରିଛି । ପ୍ରଥମେ କେଉଁଝରରେ ଜିଲ୍ଲା କୋର୍ଟ ବିଲଡିଂ, ପରେ ଭୁବନେଶ୍ୱର ଷ୍ଟେସନରେ ସଂପ୍ରସାରଣ କାର୍ଯ୍ୟ ଏବଂ ରେଳବାଇ ଜିଏମଙ୍କ ବାସଗୃହ ଓ ଅଫିସର୍ସ କ୍ଲବ୍ ନିର୍ମାଣ କରିଥଲା । ପରେ ୨୦୦୭ରେ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କଲେଜ ତିଆରି କରିବା ପାଇଁ ଟେଣ୍ଡର ପାଇଥିଲା ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ । ଏଠି ପ୍ରଶ୍ନ ଉଠୁଛି , କାହା ସୁପାରିଶରେ ଘର ତିଆରି କରୁଥିବା ସଂସ୍ଥା ହାତରେ ଦିଆଯାଇଥିଲା ଓଭରବ୍ରିଜ୍ ନିର୍ମାଣ ଦାୟିତ୍ୱ?

ପଣ୍ଡା ଇନଫ୍ରାର ରେକର୍ଡ କହୁଛି, ଓଭରବ୍ରିଜ୍ ନିର୍ମାଣରେ ସଂସ୍ଥାର କିଛି ବି ଅଭିଜ୍ଞତା ନାହିଁ । ହେଲେ ପ୍ରଶ୍ନ ଉଠୁଛି, ଏହି ସଂସ୍ଥା କେମିତି ହାତେଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ଟେଣ୍ଡର । କଣ ଦେଖି ସଂସ୍ଥା ହାତରେ ଓଭରବ୍ରିଜ୍ କାମ ଧରାଇଦେଉଥିଲା ପୂର୍ତ ବିଭାଗ । ବମିଖାଲ ଦୁର୍ଘଟଣା ପରେ ସରକାରଙ୍କ ସଂପୃକ୍ତ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଥିସହ ରାଜ୍ୟର ଅନ୍ୟ ସ୍ଥାନରେ ସଂସ୍ଥା ତିଆରି କରୁଥିବା ଓଭରବ୍ରିଜ୍ର ସ୍ଥାୟୀତ୍ୱ ନେଇ ଆଶଙ୍କା ଦେଖାଦେଇଛି ।

ବମିଖାଲ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ସରକାର । ହେଲେ ତଦନ୍ତ ରିପୋର୍ଟ କଣ ଆସିବ ତାକୁ ନେଇ ସନ୍ଦେହ ରହିଛି । କାରଣ ଏହା ପୂର୍ବରୁ ରାଜ୍ୟର ବିଭିନ୍ ସ୍ଥାନରେ ୮ ଟି ବ୍ରିଜ୍ ଭୁଶୁଡି ପଡିଛି, ଆଉ ତାହାର ତଦନ୍ତ ଫାଇଲ୍ ଏବେବି ଚାପି ହୋଇ ରହିଛି ନାଲିଫିତା ତଳେ ।