ଅଶାନ୍ତ ବ୍ରହ୍ମପୁର ! ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ; ଥାନାରେ ଏତଲା ପରେ ପୋଲିସର ତଦନ୍ତ ଜାରି

886

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଆକ୍ରମଣ । ଶିବ ଶଙ୍କର ଓରଫ ପିଂଟୁ ଦାସ ଙ୍କ ଗାଡ଼ି ଉପରକୁ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବୋମାମାଡ ହୋଇଛି । ପିଂଟୁ ଦାସ ବ୍ୟକ୍ତିଗତ କାମ ସାରି ଘରକୁ ଫେରୁଥିବା ବେଳେ ଗୋଷାଣୀନୂଆ ଗାଁ ବଡ଼ ସାହି ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ବୋମାମାଡ କରି ସେଠାରୁ ଫେରାର ହୋଇଯାଇଛନ୍ତି । ଗାଡ଼ିର ସମ୍ମୁଖରେ ମାଡ଼ ହୋଇଥିଲେ ହେଁ ପିଂଟୁଙ୍କ କିଛି କ୍ଷତି ହୋଇନାହିଁ ।

ରାଜନୈତିକ ଉଦ୍ଦେଶ୍ୟରେ ପୂର୍ବ ଶତ୍ରୁତାରୁ ଏଭଳି ପିଂଟୁ ଦାସଙ୍କ ଉପରକୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କ ରେ ପିଂଟୁ ଦାସ ଗୋଷାଣୀନୂଆ ଗାଁ ଥାନାରେ ଏତଲା ଦେଇଥିବା ସୁଚନା । ପୋଲିସ ଘଟଣା ସ୍ଥଳରେ ପହଂଚି ଏତଲା ଅନୁସାରେ ତଦନ୍ତ ଆରମ୍ଭ କରିଛି । ତିନି ରୁ ଚାରିଜଣ ଦୁର୍ବୃତ୍ତ ଏଭଳି ବୋମାମାଡ କରିଥିବା ପ୍ରତ୍ୟକ୍ଷର୍ଶୀଙ୍କ ସୂଚନା । ପୋଲିସ ଘଟଣା ସ୍ଥଳରେ ପହଂଚି ଏତଲା ଅନୁସାରେ ତଦନ୍ତ ଆରମ୍ଭ କରିଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଗଞ୍ଜାମ ଜିଲ୍ଲା ଅଶାନ୍ତ ହୋଇପଡ଼ିଛି । କିଛି କିଛି ଦିନର ବ୍ୟବଧାନରେ ହତ୍ୟାକାଣ୍ଡମାନ ଘଟୁଛି ।

କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି । ଫଳରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ନେଇ ସାଧାରଣରେ ଆଲୋଚନା ଆରମ୍ଭ ହେଲାଣି । ଗଞ୍ଜାମ ପୁଲିସ ଜିଲ୍ଲାରେ ୯ ମାସରେ ମୋଟ ୬୩ଟି ହତ୍ୟା ମାମଲା ରୁଜୁ ହୋଇଛି । କେବଳ ଚଳିତ ସେପ୍ଟେମ୍ବର ମାସରେ ୧୧ଟି ହତ୍ୟା ମାମଲା ରୁଜୁ ହୋଇ ସାରିଲାଣି । ଯାହାକି ଏବେ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର କୋଦଳା ଓ ଧରାକୋଟ ଥାନା ଇଲାକାରେ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଅବଶ୍ୟ ପୁଲିସ ହତ୍ୟାକାରୀଙ୍କୁ ଠାବ କରିବାରେ ସଫଳ ହୋଇଛି । କିନ୍ତୁ ନିର୍ବାଚନ ପୂର୍ବରୁ ବାରମ୍ବାର ଏଭଳି ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି ।