କନକ ବ୍ୟୁରୋ : କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ଏ ଯାଏଁ କାହାରିକୁ ଗିରଫ କରାଯାଇନାହିଁ । କେନ୍ଦୁଝରରେ ଲୋଡିଂ ଏଜେନ୍ସି ବିବାଦ ନେଇ ଗାଡି ଉପରକୁ ବୋମାମାଡ କରାଯାଉଥିବା ସନ୍ଦେହ କରାଯାଉଛି । ମୋହନ ମାଝି କହିଛନ୍ତି. ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ ହୋଇଛି । ସୋସିଆଲ ମିଡିଆରେ ତାଙ୍କ ଅଣ୍ଟା ଭାଙ୍ଗିଦେବାକୁ ଜଣେ ସ୍ଥାନୀୟ ନେତା ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଗତକାଲି ବୈଠକ ସାରି ଫେରିବା ବେଳେ କେନ୍ଦୁଝରର ମଣ୍ଡୁଆ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଦୁଇ ଜଣ ଦୁର୍ବୃତ ବାଇକରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ମୋହନ ମାଝୀ ।
ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍ରେ ଫେରୁଥିଲେ। ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟ ଜାତୀୟ ରାଜପଥ ପାଖରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ। ଗାଡ଼ିରେ ଥିବା ବିଧାୟକ, ପିଏସ୍ଓ, ପିଏ ଓ ଡ୍ରାଇଭର ଓହ୍ଲାଇଯିବା ପରେ ଦୁର୍ବୃତ୍ତମାନେ ପୁଣି ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ । ବୋମାମାଡ଼ କରିବା ପରେ ମୋହନଙ୍କ ପିଏସ୍ଓ ଦୁର୍ବୃତ୍ତଙ୍କ ପିଛା କରିଥିଲେ। କିନ୍ତୁ ଦୁଇ ଦୁର୍ବୃତ୍ତ ନରଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ମୋହନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏଭଳି ଷଡ୍ଯନ୍ତ୍ର କରିଥାଇ ପାରନ୍ତି ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।
ମୋହନଙ୍କ କହିବା ଅନୁସାରେ, ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । କିଛିଦିନ ତଳେ ଓଏମ୍ସିରେ ହୋଇଥିବା ଶ୍ରମିକ ଆନ୍ଦୋଳନରେ ବିଜେଡି କର୍ମୀମାନେ ତାଙ୍କ ଲୋକଙ୍କୁ ଆକ୍ରମଣ କରିଥିଲେ । ଖବର ପାଇବା ପରେ ସେ ଘଟଣାସ୍ଥଳକୁ ଯାଇଥିଲେ । ସେହିପରି କେନ୍ଦୁଝର ସଦର ବ୍ଲକ୍ରେ ହୋଇଥିବା ଏକ ସଭାରେ ଯୁବ ବିଜେଡି ଉପସଭାପତି ରାଜା ଚକ୍ର ଯୋଗଦେଇ ନିଜ ଭାଷଣରେ ମୋହନ ମାଝୀଙ୍କ ଅଣ୍ଟା ଭାଙ୍ଗିଦେବେ ବୋଲି କହିଥିଲେ । ବୋମାମାଡ଼ ତାଙ୍କ ଇଙ୍ଗିତରେ ହୋଇଥାଇପାରେ ବୋଲି ମୋହନ କହିଛନ୍ତି ।
ଅଭିଯୋଗ ପରେ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର ୩୯୧/୨୦୨୧ ଦଫା ୩୦୭, ୩୪, ୨୫ ଆର୍ମସ୍ ଆକ୍ଟ, ୩ ଏବଂ ୪ ଇ ଆଣ୍ଡ ଏସ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ବିଜେପି କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଦଳୀୟ କର୍ମୀମାନେ ସ୍ଥାନୀୟ ଗାନ୍ଧୀଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ସେହିପରି ଏନେଇ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଘଟଣାର ନିରପେକ୍ଷ ତଦନ୍ତ ହେଉ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ଚକ୍ର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/21-11.jpg)