ମୋହନ ମାଝିଙ୍କ ଗାଡିକୁ କିଏ କଲା ବୋମା ମାଡ଼ ? ସିସିଟିଭିରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚାଲିଛି ପ୍ରୟାସ ।

159

କନକ ବ୍ୟୁରୋ : ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଦୁଇ ଜଣଙ୍କ ଫଟୋ ଜାରି ହୋଇଛି । ଏହି ଦୁଇ ଜଣ ଅଭିଯୁକ୍ତ ବୋମା ମାଡ କରିଥିବା ଅନୁମାନ କରି ପୋଲିସ ତଦନ୍ତ ଆଗକୁ ବଢାଇଛି । ଏମାନଙ୍କୁ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

ବିଧାୟକଙ୍କ ଗାଡିକୁ ବୋମା ମାଡ ଘଟଣା । ସିସିଟିଭିରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି । ବାଇକରେ ବସିଥିବା ଏହି ଦୁଇ ଯୁବକଙ୍କ ଉପରେ ରହିଛି, ପୁଲିସର ସନ୍ଦେହ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ଏହି ଦୁଇ ଜଣ ବୋମା ମାଡ କରିଥିବା ଅନୁମାନ କରାଯାଉଛି । ଏହି ଦୁଇ ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି କେନ୍ଦୁଝର ପୁଲିସ ।

ବିରୋଧ ଦଳ ମୁଖ୍ୟ ସଚେତକଙ୍କ ଗାଡି ଉପରେ ବୋମା ମାଡ ଘଟଣାରେ ସମ୍ପୃକ୍ତ ବିଜେଡି ନେତାଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜେପି । କେନ୍ଦୁଝର ସହରର ଗାନ୍ଧୀ ଛକରେ ବିଜେପି କର୍ମୀ ଧାରଣାରେ ବସିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ବିଜେପିର ୭ ଜଣ ବିଧାୟକ । ଏହାପରେ କେନ୍ଦୁଝର ଏସପିଙ୍କୁ ଭେଟି ୭ ବିଜେପି ବିଧାୟକ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।

ସେପଟେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୋହନ ମାଝି ଯଦି ଆକ୍ରମଣକାରୀଙ୍କୁ ଚିହ୍ନିଛନ୍ତି, ତେବେ ପୁଲିସକୁ କାହିଁକି କହୁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଆକ୍ରମଣ ଘଟଣା ପଛରେ ଖଣିରୁ ଲୋଡିଂ, ଅନଲୋଡିଂ ବିବାଦ ଥିବା ନେଇ ଅନୁମାନ କରାଯାଉଛି ।