କନକ ବ୍ୟୁରୋ : ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ, ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଚିତ୍ର । ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ବିଜେଡି ନେତା ଓ ଆତ୍ମା ବ୍ଲକ ସଭାପତି ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ଝରକାରେ ମାଡ ହୋଇ ଘର ଭିତରେ ବୋମା ବିସ୍ଫୋରଣ ହେବାରୁ ଦିଲ୍ଲୀପଙ୍କ ଶିକ୍ଷୟିତ୍ରୀ ପତ୍ନୀ ନିରୁପମା ପତି ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ହୋଇଥିବା ନିରୁପମା ପତିଙ୍କୁ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ଗାଁରେ ଉତେଜନା ପ୍ରକାଶ ପାଇଛି ।
ସେପଟେ ଏନେଇ ଦିଲ୍ଲୀପ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ମୋର କାହା ସହିତ ସତ୍ରୁତା ନାହିଁ । କିଛି ପିଲା ମୋଠାରୁ ଅଲଗା ହୋଇ ମୋ ବିରୋଧରେ କାମ କରୁଛନ୍ତି । ଗତ କିଛିଦିନ ତଳେ ମୋ ଘର ଉପରକୁ ଇଟା ପଥର ମାଡ କରିଥିଲେ । କିନ୍ତୁ ମୁଁ ଥାନାରେ କୌଣସି ପ୍ରକାର ଲିଖିତ ଅଭିଯୋଗ କରିନଥିଲି । ପୋଲିସଙ୍କୁ ଜଣାଇଥିଲି, ପୋଲିସ ଆସି ଦେଖିକି ଯାଇଥିଲେ । ଆଉ ଆଜି ବୋମା ମାଡ ହୋଇଛି । ରାଜନୈତିକ ଇର୍ଶାନ୍ୱିତ ହୋଇ ଏହିସବୁ କରିଥାଇପାରନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାସ ।