ଶେହବାଜ ସରିଫଙ୍କ ଘର ଉପରେ ବୋମାମାଡ଼। ପାକିସ୍ତାନରେ ଉତ୍ୟକ୍ତ ଲୋକଙ୍କ ଉନ୍ମତକାଣ୍ଡ।

126

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗିରଫ ପରେ ପାକିସ୍ତାନରେ ସବୁଠି ହିଂସାର ନିଆଁ । ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଘର ଉପରେ ବୋମା ଫିଙ୍ଗିଲେ ଇମ୍ରାନଙ୍କ ସମର୍ଥକ । ସେନା ଅଧିକାରୀଙ୍କ ଘର ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ବୋମାମାଡ ସୂଚାଉଛି ସରକାର ଓ ସେନା ବିରୋଧରେ କିଭଳି ରହିଛି ଲୋକଙ୍କ ଆକ୍ରୋଶ । ହିଂସା ରୋକିବାକୁ ସରକାର କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ଖାତିର ନକରି ଇମ୍ରାନଙ୍କ ସମର୍ଥକ ଶେହବାଜଙ୍କ ଘର ଉପରେ ବୋମା ଫିଙ୍ଗିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଏହି ସମୟରେ ଘରେ ନଥିଲେ ବୋଲି ଜଣାପଡିଛି ।

ଇମ୍ରାନ ଖାନଙ୍କ ପରେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ମେହମୁଦ କ୍ୟୁରେଶୀ ଗିରଫ । ସାଦା ପୋଷାକରେ ଆସି କ୍ୟୁରେଶୀଙ୍କୁ ଗିରଫ କରାଯିବା ପରେ ଏକ ଅଜଣା ସ୍ଥାନକୁ ନିଆଯାଇଥିବା ଦାବି କରିଛନ୍ତି ସମର୍ଥକ । ଯାହା ହିଂସାକୁ ଆହୁରି ବଢାଇଛି । ଇମ୍ରାନଙ୍କ ଦଳ ପିଟିଆଇର ସମର୍ଥକ ଓ ନେତା ଚାରିଆଡେ ଲଙ୍କାକାଣ୍ଡ ଘଟାଉଥିବା ବେଳେ ସାରା ଦେଶରେ ଆର୍ମି ଯବାନଙ୍କୁ ମୁତୟନ କରାଯାଇଛି । ସେପଟେ ଗିରଫଦାରୀ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ଶେହବାଜ ସରିଫ କହି ଦେଖା ଦେଇଥିବା ହିଂସା ଉପରୁ ନିଜର ଦୋଷ ଖସାଇ ଦେଇଛନ୍ତି ।

ଦେବାଳିଆ ପରିସ୍ଥିତି, ରାଜନୈତିକ ଅସ୍ଥିରତା ପରେ ଶତ୍ରୁ ଦେଶ ଏବେ ସାମ୍ନା କରୁଛି ହିଂସା । ଯାହାକୁ ନେଇ ସାରା ବିଶ୍ୱର ମଧ୍ୟ ନଜର ରହିଛି । ବ୍ରିଟେନ, ଆମେରିକା ସମେତ ବିଭିନ୍ନ ସ୍ଥାନରେ ଏବେ ଇମ୍ରାନଙ୍କ ସମର୍ଥନରେ ରାଲି ବାହାରିଛିା