ପୁଣି ନିରାଶ ହେଲେ ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ । ଅନ୍ତରୀଣ ଜାମିନ ଦେଲେନି ବମ୍ବେ ହାଇକୋର୍ଟ

293

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବଡ଼ ଝଟକା । ବମ୍ବେ ହାଇକୋର୍ଟ ଖାରଜ କଲେ ଅନ୍ତରୀଣ ଜାମିନ ଆବେଦନ । ହାଇକୋର୍ଟ ଅର୍ଣ୍ଣବଙ୍କୁ ତଳ କୋର୍ଟରେ ଜାମିନ ଆବେଦନ ଦାଖଲ କରିବାକୁ କହିଛନ୍ତି । ଜଷ୍ଟିସ ଏସ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ଏହି ଶୁଣାଣୀ କରିଛନ୍ତି । ଗୋସ୍ୱୋମୀଙ୍କ ତରଫରୁ ଆଡ଼ଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତିକାଳୀନ ଜାମିନ ଯୁକ୍ତି ରଖିଥିଲେ । ହେଲେ ଖଣ୍ଡପୀଠ ମନା କରିଦେଇଛନ୍ତି ।

୨୦୧୮ରେ ଇଂଟେରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଛି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ନଭେମ୍ବର ୫ ତାରିଖରେ ଗିରଫ କରିଥିଲା । ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଏହି ପୋଲିସ ତାଙ୍କୁ ଉଠାଇନେଇଥିଲା । ଗିରଫ ସମୟରେ ପୋଲିସ ଅର୍ଣ୍ଣବଙ୍କୁ ମାଡ ମାରିଥିବା ଅର୍ଣ୍ଣବ ଅଭିଯେଗ କରିଥିଲେ ।

ଗିରଫ ପରେ ଅର୍ଣ୍ଣବଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ହେଲେ ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ନଭେମ୍ବର ୮ ତାରିଖରେ ଜେଲ ପଠାଇ ଦିଆଯାଇଥିଲା । ଏହା ପୂର୍ବରୁ ତାଙ୍କୁ ଆଲିବାଗ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।