କନକ ବ୍ୟୁରୋ : ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ବି ଦେବ ନିଜ ପଦରୁ ଅଗଷ୍ଟ ୪ ତାରିଖରେ ଇସ୍ତଫା ଦେଇଛନ୍ତି । ଜଷ୍ଟିସ ରୋହିତ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ଥିଲେ । ସେ କୋର୍ଟ ଚାଲିଥିବା ବେଳେ ନିଜର ଇସ୍ତଫା ଘୋଷଣା କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି । ଜଷ୍ଟିସ ରୋହିତଙ୍କର ୨୦୨୫ ଡିସେମ୍ବର ୪ ତାରିଖରେ ଅବସର ନେବାର ଥିଲା ।

Advertisment

କୋର୍ଟରୁମରେ ଉପସ୍ଥିତ ଓକିଲଙ୍କ କହିବା ମୁତାବକ ଜଷ୍ଟିସ ରୋହିତ ଦେବ କହିଥିଲେ କି, ମୋର କାହା ବାବଦରେ କିଛି ଖରାପ ଭାବନା ନାହିଁ । ଯଦି ମୁଁ କୌଣସି ଲୋକଙ୍କ ଦୁଃଖ ଦେଇଛି ତେବେ ସେମାନେ ମୋତେ କ୍ଷମା କରିଦିଅନ୍ତୁ । ମୁଁ ମୋର ଆତ୍ମସମ୍ମାନ ବିରୋଧରେ କାମ କରିବା ସମ୍ଭବ ନୁହେଁ ବୋଲି ଜଷ୍ଟିସ ରୋହିତ କହିଥିଲେ ।

ଜଷ୍ଟିସ ରୋହିତ ୨୦୨୨ ଅକ୍ଟୋବର ୧୪ ତାରିଖରେ ମାଓବାଦୀଙ୍କ ସହ ସଂପର୍କ ଥିବା ମାମଲାରେ ଜିଏନ୍ ସାଇବାବାଙ୍କୁ କ୍ଲିନଚିଟ୍ ଦେଇଥିଲେ । ହେଲେ ତାଙ୍କ ଆଦେଶକୁ ସୁପ୍ରିମକୋର୍ଟ ଅକ୍ଟୋବର ୧୫ ତାରିଖରେ ଖାରଜ କରିଦେଇଥିଲେ । ଏହାସହ ଏବେ ଏବେ ମହାରାଷ୍ଟ୍ର ସରକାର ସମୃଦ୍ଧି ଏକ୍ସପ୍ରେସ ୱେ ନିର୍ମାଣ କରୁଥିବା ଠିକାଦାର ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ରୋକିବାକୁ ପ୍ରସ୍ତାବ ଆଣିଥିଲେ । ଜଷ୍ଟିସ ରୋହିତ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବେଞ୍ଚ ମହାରାଷ୍ଟ୍ର ସରକାରଙ୍କୁ ଅଧିକାର ଦେବା ପ୍ରସ୍ତାବ ଉପରେ ରୋକ୍ ଲଗାଇଥିଲେ ।

ଜଷ୍ଟିସ ରୋହିତ ଦେବ ପ୍ରଥମେ ନାଗପୁର ବେଞ୍ଚର ଆଡିସିନାଲ ସଲିସିଟର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ରାଜ୍ୟରେ ଆଡଭୋକେଟ ଜେନରାଲ ଭାବେ କାର୍ଯ୍ୟମଧ୍ୟ କରିଛନ୍ତି । ୨୦୧୭ ମସିହାରେ ସେ ବମ୍ବେ ହାଇକୋର୍ଟ ନାଗପୁର ବେଞ୍ଚର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।