କନକ ବ୍ୟୁରୋ: ଜଣେ ହମାସ୍ କମାଣ୍ଡର କେରଳରେ ଏକ ରାଲିକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିବାର ଦୁଇ ଦିନ ପରେ ଘଟିଛି ଭୟଙ୍କର ବୋମା ବିସ୍ଫୋରଣ । ଏର୍ଣ୍ଣାକୁଲମରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଏକ ପ୍ରାର୍ଥନା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ୩ଟି ବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣଙ୍କର ଜୀବନ ଯାଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । କଲାମାସେରି କନଭେନସନ ସେଂଟରରେ ପ୍ରାର୍ଥନା ସଭାରେ ପ୍ରାୟ ଦୁଇ ହଜାର ଲୋକ ଏକାଠି ହୋଇଥିଲେ । ସକାଳ ୯.୩୦ ବେଳେ ପ୍ରଥମ ବିସ୍ଫୋରଣ ଘଟିଥିଲା । ଆଉ ଏହାପରେ ଆଉ ୨ଟି ବୋମାରେ ପ୍ରାର୍ଥନା ସଭା ଥରି ଉଠିଥିଲା ।

Advertisment
  • ଟିଫିନ ଭିତରେ ଲୁଚାଯାଇଥିଲା ବୋମା
  • ତଦନ୍ତରେ ଲାଗିଛି ଏନଆଇଏ

ବୋମା ଫୁଟିବା ପରେ ତୁରନ୍ତ ଘଟଣାସ୍ଥଳରେ କେରଳ ପୋଲିସ୍ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ । ପ୍ରାଥମିକ ତଦନ୍ତ ଟିଫିନ ବୋମା ଦ୍ୱାରା ଏହି ବିସ୍ଫୋରଣ ଘଟାଯାଇଥିବା କୁହାଯାଉଛି । ଏହାସହ ଆଇଡିର ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । କୌଣସି ପ୍ରକାର ଆତଙ୍କବାଦୀ ଲିଙ୍କ ଅଛି କି ନାହିଁ, ତାର ତଦନ୍ତ ଚାଲିଛି ।

ଏହି ବିସ୍ଫୋରଣ ପରେ ପୁରା କେରଳରେ ହାଇଆଲର୍ଟ ଜାରି ହୋଇଛି । ଏନଏସଜିର ଏକ ଟିମ୍ ମଧ୍ୟ କେରଳ ଯାଇଛି । ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫୋନ ଯୋଗେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିିତି ବିଷୟରେ ବୁଝିଛନ୍ତି । ଏସବୁ ଭିତରେ କେରଳ ସରକାରକୁ ସମାଲୋଚନା କରିଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡ଼ିପଡ଼ିଥିବା ଅଭିଯୋଗ କରିଛନ୍ତି । ତେବେ ଏର୍ଣ୍ଣାକୁଲମ ବିସ୍ଫୋରଣ ନେଇ ଜଣେ ବ୍ୟକ୍ତି ପୋଲିସ୍ ପାଖରେ ଆତ୍ମସମର୍ପଣ କରିଛି । ସେପଟେ କେରଳରେ ବିସ୍ଫୋରଣ ପରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ୟୁପିରେ ହାଇ ଆଲର୍ଟ ଜାରି କରାଯାଇଛି ।