କନକ ବ୍ୟୁରୋ: ବିଳମ୍ବିତ ରାତିରେ ନୂଆପଲ୍ଲୀରେ ରାଜନୈତିକ ହିଂସା । ନୂଆପଲ୍ଲୀ ଗଡ଼ସାହିସ୍ଥିତ ବିଜେଡି ପାର୍ଟି ଅଫିସ୍ ସମ୍ମୁଖରେ  ବୋମାମାଡ ହୋଇଛି । ଏହାପରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି । ତେବେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି ।

୩ ଜଣ ବ୍ୟକ୍ତି ଶିବ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି । ଘଟଣା ପରେ ନୂଆପଲ୍ଲୀରେ ଉତେଜନା ପ୍ରକାଶ ପାଇଛି । ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦର୍ବୃତଙ୍କୁ ଠାବ କରିବାକୁ ଛାନ୍ଭିନ ଚଳାଇଛି । ପ୍ରତିପକ୍ଷ ଦଳର ପ୍ରରୋଚନାରେ କେହି ଏଭଳି କାଣ୍ଡ ଭିଆଇଛି ବୋଲି ବିଜେଡି କର୍ମୀମାନେ ଅଭିଯୋଗ କରିଛନ୍ତି । ଗଡ଼ସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ପ୍ରାୟ ୨୦ରୁ ଅଧିକ କର୍ମୀ ବସି ବୈଠକ କରୁଥିଲେ । ଭୋଜିଭାତ ମଧ୍ୟ ଚାଲିଥିଲା । ରାତି ପ୍ରାୟ ୧୨ଟା ବେଳେ ହଠାତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସମଗ୍ର ଅଞ୍ଚଳ ଥରିଉଠିଥିଲା ।