ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ସୂଚନା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବୋମା ନିଷ୍କ୍ରିୟକାରୀ ଦଳ କରୁଛନ୍ତି ଯାଂଚ ।

204

କନକ ବ୍ୟୁରୋ : ମହାରାଷ୍ଟ୍ର ସଚିବାଳୟରେ ବୋମାଥିବା ଖବର ଆସିବା ପରେ ସଚିବାଳୟ ଓ ତାର ଆଖ ପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍ ସହାୟତାରେ ମହାରାଷ୍ଟ୍ର ବିଧାନମଣ୍ଡଳ ସଚିବାଳୟକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି ।

ଏନେଇ ମହାରାଷ୍ଟ୍ର ପୋଲିସ କହିଛନ୍ତି କି ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍ ବିଧାନମଣ୍ଡଳ ସଚିବାଳୟରେ ଯାଂଚ ଜାରି ରଖିଛି । ପୋଲିସ କହିଛି କି, କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ସଚିବାଳୟରେ ବୋମା ଥିବା କଥା ସୂଚନା ଦେଇଥିଲା । ଏହି କଲକୁ ଆଧାର କରି ଏବେ ଯାଂଚ ଚାଲିଛି । ଏହାସହ ମନ୍ତ୍ରଣାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।

ସୂଚନା ମୁତାବକ ନାଗପୁରର ସାଗର ନାମରେ ଜଣେ ବ୍ୟକ୍ତି ଆଜି ମଧ୍ୟାହ୍ନ ୧୨.୪୦ ରେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସଚିବାଳୟ ଭିତରେ ବୋମା ଥିବା କଥା କହିଥିଲା । ଏହାପରେ ପୋଲିସ ସେଠାରେ ପହଂଚିବା ସହ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚି ଯାଂଚ ଆରମ୍ଭ କରିଛନ୍ତି । ଏହାସହ ଖବର ଲେଖାହେବା ଯାଏ ବୋମା କିମ୍ବା ବୋମା ସମ୍ବନ୍ଧିତ କୌଣସି ବସ୍ତୁ ସଚିବାଳୟ ପରିସରରୁ ମିଳିନାହିଁ । ଅନ୍ୟପଟେ ପୋଲିସ କହିଛି କି, ଯେଉଁବ୍ୟକ୍ତି ଏଭଳି ଭ୍ରମାତ୍ମକ ଖବର ଦେଇ ଭୟ ସୃଷ୍ଟି କରିଛି ତାକୁ ଗିରଫ୍ କରାଯିବା ସହ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।