କନକ ବ୍ୟୁରୋ : ସଲମାନ ଖାନଙ୍କୁ ହତ୍ୟା ଧମକ ପରେ ଏବେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ତାଙ୍କ ସ୍ୱାମୀ ଭିକି କୌଶଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ଥାନରେ ଅଭିଯୋଗ ହେବା ପରେ ମୁମ୍ବାଇ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି । ଉଭୟଙ୍କୁ ଏଭଳି ଧମକ ସୋସିଆଲ ମିଡିଆ ମାଧ୍ୟମରେ ଦିଆଯାଇଥିବା ଅଭିଯୋଗ ହୋଇଛି  । ଏଏନଆଇର ରିପୋର୍ଟ ମୂୁତାବକ ଏହି ମାମଲା ମୁମ୍ବାଇର ସାନ୍ତାକୁଜ ଥାନାରେ ରୁଜୁ ହୋଇଛି । ଭିକି ଓ କ୍ୟାଟ୍ରିନାଙ୍କୁ ସୋସିଆଲ ମିଡିଆରେ କେହି ଅଜ୍ଞାତ ବ୍ୟକ୍ତି ହତ୍ୟା ଧମକ ଦେଇଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Advertisment

କୁହାଯାଉଛି କି , ମୁମ୍ବାଇ ସାଇବର ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ପାଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ କ୍ୟାଟ୍ରିନା କୈଫଙ୍କ ସୋସିଆଲ ମିଡିଆ ଉପରେ କମେଣ୍ଟ ଆଳରେ ଅସଭ୍ୟ ଭାଷାରେ ଗାଳିଦେବା ସହ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ପୋଲିସ ତରଫରୁ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନର ଧାରା ୫୦୬ (ଖ) ୫୩୪ (ଡି)କ୍ରମରେ ମାମଲା ରୁଜୁ କରିଛି ।

କହିରଖୁ କି, କିଛିଦିନ ତଳେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପିତା ସଲିମ୍ ଖାନଙ୍କୁ ବି ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏନେଇ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ବାସଭବନରୁ ଏକ ଧମକଭରା ଚିଠି ମିଳିଥିଲା ।