କିଚ୍ଚା ସୁଦୀପ ବନାମ ଅଜୟ ଦେବଗନ । ଭାଷାକୁ ନେଇ ବଲିଉଡ୍, ଟଲିଉଡ ମୁହାଁମୁହିଁ

Advertisment
କିଚ୍ଚା ସୁଦୀପ ବନାମ ଅଜୟ ଦେବଗନ । ଭାଷାକୁ ନେଇ ବଲିଉଡ୍, ଟଲିଉଡ ମୁହାଁମୁହିଁ

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଓ କନ୍ନଡ ଫିଲ୍ମ ଅଭିନେତା କିଚ୍ଚା ସୁଦୀପ । ଏହି ଦୁଇ ଷ୍ଟାରଙ୍କ ଭିତରେ ଟ୍ୱିଟରରେ ଦେଖିବାକୁ ମିଳିଛି ଜବରଦସ୍ତ ବିତର୍କ । ଆଉ ଏହି ବିତର୍କ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । କନ୍ନଡ ସମେତ ତାମିଲ ତେଲୁଗୁ ଏବଂ ହିନ୍ଦୀ ସିନେମାରେ ବି ନିଜ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତା କିଚ୍ଚା ସୁଦୀପ ନିକଟରେ ହିନ୍ଦୀ ଭାଷାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । କନ୍ନଡ ସିନେମା କେଜିଏଫ ଚ୍ୟାପଟର-ଟୁର ଜବରଦସ୍ତ ସଫଳତା ପରେ କିଚ୍ଚା ସୁଦୀପ କହିଥିଲେ ସାରା ଭାରତରେ ଏବେ ହିନ୍ଦୀ ସିନେମା ତୁଳନାରେ ସାଉଥ ସିନେମାକୁ ବେଶୀ ଭଲପାଇବା ମିଳୁଛି ।

ନିଜର ଏକ ଇଣ୍ଟରଭ୍ୟୁରେ ସୁଦୀପ କହିଥିଲେ- “ଏବେ ସାଉଥର ନିର୍ଦ୍ଦେଶକ ମାନେ ଏଭଳି ସିନେମା ପ୍ରସ୍ତୁତ କରୁଛନ୍ତି ଯାହା ସାରା ବିଶ୍ୱରେ ଭଲ ପ୍ରଦର୍ଶନ କରୁଛି । ବଲିଉଡ ଲୋକେ ନିଜ ସିନେମାକୁ ତେଲୁଗୁ ଓ ତାମିଲ୍ରେ ରିଲିଜ୍ କରାଉଥିଲେ ବି ତାଙ୍କ ସିନେମାର ସଫଳତା କେବଳ ସୀମିତ ରହିଛି । ଆପଣ କହିଲେ କି, ସାରା ଭାରତରେ ଚାଲୁଥିବା ସିନେମା କନ୍ନଡରେ ପ୍ରସ୍ତୁତ ହୋଇଛି, ମ୍ରୁଁ ଏଥିରେ ଟିକେ ପରିବର୍ତ୍ତନ କରିବାକୁ ଚାହିଁବି । ହିନ୍ଦୀ ଆଉ ରାଷ୍ଟ୍ର ଭାଷା ହୋଇ ରହିନାହିଁ । ବଲିଉଡ୍ ବି ସାରା ଭାରତରେ ଚାଲୁଥିବା ସିନେମା ପ୍ରସ୍ତୁତ କରୁଛି । ହେଲେ ତେଲୁଗୁ ଓ ତାମିଲ୍ରେ ତାଙ୍କ ସିନେମା ସଂଘର୍ଷ କରୁଛି । ଆଜି ଆମେ ଯେଉଁ ସିନେମା ପ୍ରସ୍ତୁତ କରୁଛୁ ତାକୁ ସବୁ ସ୍ଥାନରେ ପସନ୍ଦ କରାଯାଉଛି ।”

ବଲିଉଡ ଇଣ୍ଡଷ୍ଟ୍ରୀକୁ କଟାକ୍ଷ କରି କିଚ୍ଚା ସୁଦୀପ ଦେଇଥିବା ଏହି ବୟାନକୁ ସହଜରେ ଗ୍ରହଣ କରି ପାରିନଥିଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସିଂଘମ ଭାବେ ପରିଚିତ ଅଭିନେତା ଅଜୟ ଦେବଗନ । ସେ ଟ୍ୱିଟରକୁ ମାଧ୍ୟମ କରି ସୁଦୀପ କଥାର ଦେଇଥିଲେ ଜବରଦସ୍ତ ଉତ୍ତର । ଅଜୟ ଦେବଗନ ଟ୍ୱିଟ କରି କହିଥିଲେ ,“କିଚ୍ଚା ସୁଦୀପ, ମୋ ଭାଇ ଆପଣଙ୍କ ହିସାବରେ ଯଦି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ତାହାଲେ ଆପଣମାନେ ଆପଣଙ୍କ ମାତୃଭାଷାରେ ପ୍ରସ୍ତୁତ ସିନେମାକୁ ହିନ୍ଦୀରେ ଡବ୍ କରି କାହିଁକି ରିଲିଜ୍ କରାଉଛନ୍ତି? ହିନ୍ଦି ଆମର ମାତୃଭାଷା ଓ ରାଷ୍ଟ୍ରଭାଷା ଥିଲା ଅଛି ଏବଂ ସବୁବେଳେ ରହିବ । ଜନ ଗଣ ମନ ।”

ଅଜୟ ଦେବଗନଙ୍କ ଏହି ଟ୍ୱିଟ୍ ପରେ କିଚ୍ଚା ସୁଦୀପ ପୁନଃ ଟ୍ୱିଟ କରି ନିଜ କହିଥିବା କଥାର ସ୍ପଷ୍ଟିକରଣ ରଖିଥିଲେ । କିଚ୍ଚା ସୁଦୀପ କହିଥିଲେ ଯେ, “ମୁଁ କାହା ଭାବନାକୁ କଷ୍ଟ ଦେବା ଭଳି କଥା କହିନାହିଁ । ମୋ କଥାକୁ ଭିନ୍ନ ଶୈଳୀରେ ପରସା ଯାଇଛି । ମୁଁ ଏ ଦେଶର ସବୁ ଭାଷାକୁ ସମ୍ମାନ କରୁଛି । ଏହି ବିଷୟକୁ ଆଗକୁ ଆଉ ବଢାଇବାକୁ ଚାହୁଁନାହିଁ । ଆପଣଙ୍କୁ ଅନେକ ଅନେକ ଭଲପାଇବା, ଆଶା କରୁଛି ଆପଣଙ୍କ ସହ ଖୁବଶୀଘ୍ର ଦେଖାହେବ ।”

କେବଳ ସେତିକି ନୁହେଁ କିଚ୍ଚା ସୁଦୀପ ଆହୁରି ମଧ୍ୟ କହିଥିଲେ ,“ଅଜୟ ସାର୍, ଆପଣ ଯେଉଁ ମନ୍ତବ୍ୟ ହିନ୍ଦୀରେ ଲେଖିଥିଲେ, ତାହା ମୁଁ ବୁଝି ପାରିଲି । କେବଳ ଏଥିପାଇଁ ଆମେ ସମସ୍ତେ ହିନ୍ଦୀ ଭାଷାକୁ ସମ୍ମାନ କରୁ, ଭଲ ପାଉ ଆଉ ହିନ୍ଦୀ ଶିଖିଛୁ । କୌଣସି ଅପମାନ କଲାଭଳି କହୁନାହିଁ ସାର୍, ଯଦି ଏଭଳି ଚିନ୍ତାଧାରାର କଥା ଅଛି ତାହାଲେ, ମୁଁ ମୋର ପ୍ରତିକ୍ରିୟା କନ୍ନଡ ଭାଷାରେ ଲେଖିଥିଲେ ତାହାଲେ କଣ ସ୍ଥିତି ହୋଇଥାନ୍ତା । କଣ ଆମେ ବି ଭାରତର ନାଗରିକ ନାହୁଁ କି ସାର୍..”

କିଚ୍ଚା ସୁଦୀପଙ୍କ ଟ୍ୱିଟର ଜବାବ ରଖି ଅଜୟ ପୁନଃ ଟ୍ୱିଟ୍ କରି କହିଥିଲେ, ତୁମେ ମୋର ବନ୍ଧୁ । ମୋର ଭୁଲ ବୁଝାମଣାକୁ ଦୂର କରିଥିବାରୁ ଧନ୍ୟବାଦ । ମୁଁ ସବୁବେଳେ ପ୍ରତ୍ୟେକ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଗୋଟିଏ ରୂପରେ ଦେଖେ । ଆମକୁ ପ୍ରତ୍ୟେକ ଭାଷାର ସମ୍ମାନ କରିବା ଉଚିତ୍ । ଆମକୁ ଆଶା ଅଛି ସଭିଁଏ ଆମ ଭାଷାକୁ ବି ସମ୍ମାନ କରନ୍ତୁ । ଅଜୟ ଦେବଗନ ଏଭଳି ପ୍ରଥମ ଥର ସାମ୍ନାକୁ ଆସି ବଲିଉଡ୍ ଓ ହିନ୍ଦୀ ଭାଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଅଜୟ ଦେବଗନ ଓ କିଚ୍ଚା ସୁଦୀପଙ୍କ ଭିତରେ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଟ୍ୱିଟରରେ ଏକ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ୱିଟରରେ ରାଷ୍ଟ୍ରଭାଷା ବନାମ ରାଜ୍ୟଭାଷା ଓ ହିନ୍ଦୀ ସିନେମା ବନାମ ସାଉଥ ସିନେମାର ବିତର୍କ ଆରମ୍ଭ ହୋଇ ଯାଇଛି । ତାମିଲ, ତେଲୁଗୁ ଏବଂ କନ୍ନଡର ସିନେମା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ହିନ୍ଦୀ ଭର୍ସନରେ ବି ବେଶ ପ୍ରଶଂସା ସାଉଁଟୁଛି । ନିକଟରେ ରିଲିଜ୍ ହୋଇଥିବା ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ହେଉ କି ରାଜାମୌଳୀଙ୍କ ନିର୍ଦ୍ଦେଶିତ ଆରଆରଆର ଅବା କନ୍ନଡ ଷ୍ଟାର ୟଶ୍ଙ୍କ କେଜିଏଫ-ଟୁ । ପ୍ରତ୍ୟେକ ଫିଲ୍ମ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଭଲ ପ୍ରଦର୍ଶନ କରିଛି । ଏହାସହ ଶହ ଶହ କୋଟିର ବ୍ୟବସାୟ ବି କରୁଛି । ଆଉ ସାଉଥ ସିନେମା ତୁଳନା ହିନ୍ଦୀ ସିନେମା ସେଭଳି ଖାସ୍ ପ୍ରଦର୍ଶନ କରୁ ନଥିବାରୁ ଏବେ ଟ୍ୱିଟରରେ ବଲିଉଡ୍ ବନାମ ଟଲିଉଡ୍ ବିବାଦ ମୁଣ୍ଡ ଟେକିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe