କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର ତଥା ଭାଇଜାନଙ୍କର ଆଜି ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଛନ୍ତି ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ଦୀର୍ଘ ଦିନ ହେବ ବଲିଉଡରେ ରାଜ କରୁଥିବା ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ବି ପ୍ରଶଂସକଙ୍କ ଭିଡ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

Advertisment

ବଲିଉଡର ଭାଇଜାନ୍ ସଲମାନ୍ । ଇଣ୍ଡଷ୍ଟ୍ରିରେ ତାଙ୍କର ଭିନ୍ନ ଦବଦବା । ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ତ ଆକାଶଛୁଆଁ । ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ୍ । ତାଙ୍କ ପରିବାର ଆଫଗାନୀସ୍ତାନରୁ ଗ୍ୱାଲିଅରକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଅବଦୁଲ ରସିଦ୍ ସଲିମ୍ ସଲମାନ୍ ଖାନ୍ । ଗ୍ୱାଲିଅରରେ ସ୍କୁଲିଙ୍ଗ ଶେଷ ହେବା ପରେ ମୁମ୍ବାଇ ଆସି ପଢା ଜାରି ରଖିଲେ । ପାଠପଢାରେ ଏତେ ଆଗୁଆ ନଥିବା ସଲମାନ୍ ପିଲାବେଳେ ଭାରି ଦୁଷ୍ଟ ଥିବା ତାଙ୍କ ପରିବାର ସଦସ୍ୟ କୁହନ୍ତି । ହେଲେ ବାପା ସଲିମ ଖାନଙ୍କୁ ତାଙ୍କର ଭାରି ଡର । ବାପାଙ୍କୁ କିଛି ନପଚାରି କୌଣସି କାମ କରନ୍ତି ନାହିଁ ସଲମାନ୍ ।

ବଲିଉଡର ଆଉ ଜଣେ ଖାନ୍ ଅମୀର ଖାନଙ୍କ ସାଙ୍ଗରେ ଏକା ଶ୍ରେଣୀରେ ପଢୁଥିଲେ ସଲମାନ୍ । ପାଠପଢାରେ ପଛୁଆ ଥିବା ସଲମାନ୍ ଖେଳକୁଦରେ କିନ୍ତୁ ଭାରି ଆଗୁଆ ଥିଲେ । ପହଁରାରେ ସେ ବେଶ୍ ଧୃତ । ଅନ୍ତର୍ଜାତୀୟ ସ୍ୱିମିଙ୍ଗ କମ୍ପିଟିସନରେ ସେ ଏକାଧିକ ଥର ଭାଗ ନେଇ ପୁରସ୍କାର ଜିତିଛନ୍ତି । ସେ ଦିନର ସ୍ୱିମର ଆଜି ବଲିଉଡ୍ ସୁପରଷ୍ଟାର । ଆକ୍ଟର ନୁହେଁ ବରଂ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ ସଲମାନ । ହେଲେ ତାଙ୍କର ସ୍ୱାସ୍ଥ୍ୟ ତଥା ପର୍ସନାଲିଟି ଦେଖି ଲୋକେ ତାଙ୍କୁ ଆକ୍ଟର ଭାବେ ଗ୍ରହଣ କରିନେଲେ । ଅଭନୟ କରିବା ପୂର୍ବରୁ ମଡେଲିଙ୍ଗକୁ ଆସିଥିଲେ ସଲ୍ଲୁ । ତାଙ୍କର କିଛି ବିଜ୍ଞାପନ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ।

ଯେତେବେଳେ ସଲମାନ୍ ଅଭିନୟ ଜଗତରେ ପାଦ ଥାପିଲେ ସେତେବେଳେ ଆକ୍ସନ ଫିଲ୍ମ ରାଜ କରୁଥିଲା । ହେଲେ ନିଜର ପତଳା ଶରୀର ଯୋଗୁଁ ସେ ଅଭିନୟ ପାଇଁ ଫିଟ୍ ନୁହଁନ୍ତି ବୋଲି ସଲମାନ୍ ଅନୁଭବ କରିଥିଲେ ବି ଜଣେ ପ୍ରଯୋଜକ ତା୍କୁ ଅଭିନୟ ପାଇଁ ପ୍ରୋତ୍ସାହିତ କରିଥିଲେ । ସେବେଠୋରୁ ଅଭିନୟ ବାଟରେ ଆଗେଇ ଯାଇଥିଲେ ସଲମାନ୍ । ହେଲେ ଅଭିନୟର ପ୍ରଥମ ପାହାଚ ବି ତାଙ୍କ ପାଇଁ ସହଜ ନଥିଲା । ଆକ୍ଟିଙ୍ଗ କରିବାକୁ ସେ ଅନେକ ବ୍ୟକ୍ତିଙ୍କୁ ଭେଟିଥିଲେ ବି କାହାରି ଆଗରେ ବାପା ସଲିମ ଖାନଙ୍କ କଥା କହିନଥିଲେ । ସେଥିପାଇଁ ତାଙ୍କୁ ବେଶ୍ ମସକତ୍ କରିବାକୁ ପଡିଥିଲା । ଅତି କଷ୍ଟରେ ତାଙ୍କୁ ‘ବିବି ହୋ ତୋ ଐସେ’ରେ ବ୍ରେକ୍ ମିଳିଥିଲା । ହେଲେ ଏଥିରେ ନିଜର ଅଭିନୟ ତାଙ୍କୁ ପସନ୍ଦ ହୋଇନଥିଲା । ତାଙ୍କ ଭାଇମାନେ ମଧ୍ୟ ଏହି ଫିଲ୍ମରେ ତାଙ୍କର ଅଭିନୟକୁ ନେଇ ସଲମାନଙ୍କୁ ଥଟ୍ଟାଟାପରା କରିଥିଲେ । ହେଲେ ଏହାପରେ ତାଙ୍କୁ ଯେଉଁ ଫିଲ୍ମ ମିଳିଲା ତାହା ତାଙ୍କ ଭାଗ୍ୟ ବଦଳାଇଦେଲା ।

ଫିଲ୍ମ ‘ମୈନେ ପ୍ୟାର୍ କିୟା’ ସୁପରହିଟ୍ ହୋଇଥିଲା । ଏଇଥିରୁ ହିଁ ସେ ପୋଷ୍ଟରବୟ ବନିଗଲେ । ଆଉ ସେବେଠାରୁ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ଆକ୍ଟିଙ୍ଗରେ ଯେତିକି ସଫଳ ପ୍ରେମ ବ୍ୟାପାରରେ ସେତିକି ଅସଫଳ ସଲମାନ୍ । ପ୍ରଥମେ ଯାହାକୁ ମନ ଦେଲେ ତାକୁ ମନ କଥା କିନ୍ତୁ କହିପାରିଲେ ନାହିଁ । ଆଉ ପରେ ଜାଣିବାକୁ ପାଇଲେ ସେ ଝିଅ ତାଙ୍କ ସାଙ୍ଗକୁ ମନ ଦେଇସାରିଛନ୍ତି । ଏହାପରେ ବି ସେ ଏକାଧିକ ଅଭିନେତ୍ରୀ ତଥା ମଡେଲଙ୍କ ସହ ଡେଟିଙ୍ଗରେ ଥିଲେ ବି କାହାକୁ ଜୀବନସାଥୀ କରିପାରିଲେନି ।

ଆମେରିକାର ‘ପିପୁଲ୍ସ ମାଗାଜିନ୍’ ସଲମାନଙ୍କୁ ବିଶ୍ୱର ସପ୍ତମ ହ୍ୟାଣ୍ଡସମ୍ ମ୍ୟାନର ମାନ୍ୟତା ଦେଇଛି । ତେବେ ଗତଥର ତାଙ୍କ ଫାର୍ମହାଉସରେ ସଲମାନଙ୍କୁ ସାପ କାମୁଡିଥିବାରୁ ଭଲଭାବେରେ ନିଜ ଜନ୍ମଦିକୁ ପାଳିପାରିନଥିଲେ । ହେଲେ ଏଥର ନିଜ ପରିବାର ସହ ଧୁମଧାମରେ ବାର୍ଥ ଡେ ସେଲିବ୍ରେସନ୍ କରିଛନ୍ତି ସଲମାନ୍ ।