ସୁପର ଷ୍ଟାର ରଜନୀକାନ୍ତ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର , ଟ୍ୱିଟ୍ କରି ଦେଲେ ଏଭଳି ପ୍ରତିକ୍ରିୟା

69

କନକ ବ୍ୟୁରୋ : ସାଉଥ ତଥା ବଲିଉଡର ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର ମିଳିବାକୁ ଯାଉଛି । ଏନେଇ ଆଜି ରଜନୀକାନ୍ତ ନିଜ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ଏଭଳି ପୁରସ୍କାର ଜିତିବେ ବୋଲି ସେ କେବେ ଆଶା କରି ନଥିଲେ । ଏହାସହ ସେ କହିଥିଲେ କି ଗୋଟିଏ ଦୁଖ ରହିଗଲା ଯେ ମୋ ଗୁରୁ କେ. ବାଲାଚନ୍ଦର ଏଭଳି ସମୟରେ ମୋ ପାଖରେ ନାହାଁନ୍ତି ।

ସେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି କି, “ମୁଁ କେବେ ଆଶା କରିନଥିଲି କି ମୋତେ ଏଭଳି ସମ୍ମାନଜନକ ପୁରସ୍କାର ମିଳିବ” ଗଣମାଧ୍ୟମ ରିପୋର୍ଟ ମୁତାବକ ଆସନ୍ତା କାଲି (୨୫ ଅକ୍ଟୋବର) ଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ସମାରୋହରେ ରଜନୀକାନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏପ୍ରିଲ ୨୦୨୧ ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ଘୋଷଣା କରିଥିଲେ କି ଅଭିନେତା ରଜନୀକାନ୍ତଙ୍କୁ ପୂର୍ବ ୪ ଦଶକ ଧରି ଭାରତୀୟ ସିନେମାରେ ଯୋଗଦାନ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ପୁରସ୍କାର ପ୍ରଦାନ କରାଯିବ । ଅନ୍ୟପଟେ କୋଭିଡ ମହାମାରୀ କାରଣରୁ ଏହି ପୁରସ୍କାର ସମାରୋହ ଆୟୋଜିତ କରିବାରେ ଡେରି ହୋଇଛି ।
ଭାରତରେ ସବୁଠାରୁ ପ୍ରତିଷ୍ଠିତ ତାରକାଙ୍କ ମଧ୍ୟରେ ରଜନୀକାନ୍ତ ଅନ୍ୟତମ । ଭାରତ ସରକାର ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଓ ୨୦୧୬ ରେ ପଦ୍ମ ବିଭୂଷଣ ପୁରସ୍କାରରେ ପୁରସ୍କୃତ କରିଥିଲେ । କହିରଖୁ କି ରଜନୀକାନ୍ତଙ୍କୁ ପ୍ରଥମେ ତାମିଲ ସିନେମାରେ ‘ଅପୂର୍ବ ରଙ୍ଗଲାଲ’ ଡେବ୍ୟୁ କରିଥିଲେ । ରଜନୀକାନ୍ତଙ୍କ ସଫଳ ସିନେମା ମଧ୍ୟରେ ବାଶା, ଶିବାଜୀ, ଓ ଏନ୍ଥୀରନ ସିନେମା ଅନ୍ୟତମ ।

କହିରଖୁ କି ଭାରତୀୟ ସିନେମା ଜଗତରେ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର । ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସହିତ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପ୍ରଥମ ଥର ପାଇଁ ଅଭିନେତ୍ରୀ ଦେବୀକା ରାଣୀଙ୍କୁ ଦିଆଯାଇଥିଲା ।