ଶାହାରୁଖ-ସଲମାନଙ୍କ ଠାରୁ ଆଗରେ ଅମୀର । କେହି ବି ଭାଙ୍ଗି ପାରିନାହାନ୍ତି ଅମୀରଙ୍କ ଏହି ରେକର୍ଡ, ଜାଣନ୍ତୁ କ’ଣ ରହିଛି ଅମୀରଙ୍କ ସର୍ବକାଳୀନ ରେକର୍ଡ?

2,637

କନକ ବ୍ୟୁରୋ : ଅମୀର ଖାନ୍ । ଏହି ନାମ ହିଁ ଯଥେଷ୍ଟ । ଅନେକ ସିନେପ୍ରେମୀଙ୍କ ହୃଦୟ ଜିତିଥିବା ଅମୀରଙ୍କ ସମ୍ପର୍କରେ ସମସ୍ତଙ୍କୁ ବେଶ ଭଲଭାବେ ଜଣା । ବ୍ୟକ୍ତିଗତ ଜୀବନ ହେଉ ବା ସ୍କ୍ରିନରେ ଦମଦାର ଅଭିନୟ । ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅମୀର । ତେବେ ଆପଣ ଜାଣିଛନ୍ତି କି, ଅମୀର ଖାନଙ୍କ ଏଭଳି ରେକର୍ଡ ରହିଛି ଯାହାକି ଶାହାରୁଖ, ସଲମାନଙ୍କ ଭଳି ସୁପରଷ୍ଟାରମାନେ ମଧ୍ୟ ଭାଙ୍ଗି ପାରିନାହାନ୍ତି । ଆଉ ଏହି ରେସରେ ପଛରେ ମଧ୍ୟ ପଡ଼ିଛନ୍ତି ସନ୍ନି ଦେଓଲ ।

ଦୀର୍ଘ ୩୫ ବର୍ଷ ଧରି ବଲିଉଡରେ ଅଭିନୟର ଯାଦୁ ଦେଖାଇ ଆସୁଥିବା ଅମୀର ଖାନଙ୍କ ଅନେକ ଗୁଡ଼ିଏ ହିଟ୍ ଫିଲ୍ମ ଦର୍ଶକଙ୍କ ମହଲରେ ଆଦୃତ ହୋଇଛି । ବକ୍ସ ଅଫିସରେ ଅନେକ ହିଟ୍ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଛି । ତେବେ ବକ୍ସ ଅଫିସରେ ସର୍ବକାଳିନ ହିଟ୍ ହୋଇଥିବା ଫିଲ୍ମ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମୀର ଖାନ । ଯାହାକି ଅନ୍ୟ ହିରୋମାନେ ଭାଙ୍ଗିବା ଏକପ୍ରକାର କଷ୍ଟସାଧ୍ୟ  । ବକ୍ସ ଅଫିସରେ ସର୍ବକାଳୀନ ହିଟ ହୋଇଥିବା ଫିଲ୍ମ ମଧ୍ୟରେ ଅମୀରଙ୍କ ୫ଟି ଚଳଚିତ୍ର ରହିଛି । ଯେଉଁ ରେସରେ ସଲମାନ ଏବଂ ଶାହାରୁଖ ପଛରେ ରହିଯାଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ..

ବକ୍ସ ଅଫିସରେ ସର୍ବକାଳୀନ ଅମୀରଙ୍କ ୫ଟି ଫିଲ୍ମ ମଧ୍ୟରେ ରହିଛି ‘ରାଜା ହିନ୍ଦୁସ୍ଥାନୀ’ । ଯାହାକି ୧୧ ନଭେମ୍ବର ୧୯୯୬ରେ ମୁକ୍ତିଲାଭ କରିଥିଲା । ଦ୍ୱିତୀୟ ଚଳଚିତ୍ରଟି ହେଉଛି ‘୩ ଇଡିଅଟ୍ସ’ । ଏହା ୨୪ ଡିସେମ୍ବର ୨୦୦୯ ମସିହାରେ ରିଲିଜ ହୋଇଥିଲା । ତୃତୀୟ ସ୍ଥାନରେ ରହିଥିବା ଫିଲ୍ମଟି ହେଉଛି ‘ଧୁମ୍ ୩’ । ଯାହାକି ୨୦ ଡିସେମ୍ବର ୨୦୧୩ରେ ପ୍ରେକ୍ଷାଳୟକୁ ଆସିଥିଲା । ଏହାପରେ ପି.କେ ଚତୁର୍ଥ ସ୍ଥାନରେ ରହିଛି । ଯାହାକି ୧୯ ଡିସେମ୍ବର ୨୦୧୪ରେ ରିଲିଜ ହୋଇଥିଲା । ସେପଟେ ଶେଷଥର ଅର୍ଥାତ ପଂଚମ ସ୍ଥାନରେ ରହିଛି ‘ଦଙ୍ଗଲ’ । ଯାହାକି ୨୩ ଡିସେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା । ଏହାପରଠାରୁ ଆଉ ଅମୀରଙ୍କ ସର୍ବକାଳୀନ ହିଟ୍ ମୁଭି ଦେଖିବାକୁ ମିଳିନାହିଁ ।

ସେପଟେ ଏହି ରେସରେ ସଲମାନ, ଶାହାରୁଖ ଏବଂ ସନ୍ନି ଦେଓଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସମସ୍ତଙ୍କର ୨ଟି ଲେଖାଏଁ ଫିଲ୍ମ ଏହି ଲିଷ୍ଟରେ ରହିଛି । ସଲମାନ ଖାନଙ୍କ ଦୁଇ ଫିଲ୍ମ ମଧ୍ୟରେ ରହିଛି ହମ ଆପକେ ହେ କୈନ୍ ଏବଂ ‘ବଜରଙ୍ଗୀ ଭାଇଜାନ’ । ପ୍ରଥମ ଫିଲ୍ମଟି ୫ ଅଗଷ୍ଟ ୧୯୯୪ରେ ରିଲିଜ ହୋଇଥିବାବେଳେ ଦ୍ୱିତୀୟଟି ଅର୍ଥାତ ବଜରଙ୍ଗୀ ଭାଇଜାନ ୧୭ ଜୁଲାଇ ୨୦୧୫ରେ ମୁକ୍ତିଲାଭ କରିଥିଲା । ସେପଟେ ଶାହାରୁଖ ଖାନଙ୍କ ‘ଦିଲୱାଲେ ଦୁଲହନିଆ ଲେଜାଏଙ୍ଗେ’ ଯାହାକି ୨୦ ଅକ୍ଟୋବର ୧୯୯୫ରେ ମୁକ୍ତିଲାଭ କରିଥିଲା ଏବଂ ଦ୍ୱିତୀୟଟି ହେଉଛି ‘କୁଛ୍ କୁଛ୍ ହୋତା ହେ’ ୧୬ ଅକ୍ଟୋବର ୧୯୯୮ରେ ରିଲିଜ ହୋଇଥିଲା ।

ଏହାପରେ ଆମେ ଯଦି ସନ୍ନି ଦେଓଲଙ୍କ କଥା କହିବା ତାହେଲେ ଦୁଇ ଫିଲ୍ମ ମଧ୍ୟରେ ରହିଛି ‘ବର୍ଡର’ ଏବଂ ‘ଗଦର’ । ଜୁନ ୧୫ ୨୦୦୧ରେ ରିଲିଜ ହୋଇଥିବା ଗଦର ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ବର୍ଡର ଜୁନ ୧୩ ୧୯୯୭ରେ ମୁକ୍ତିଲାଭ କରିଥିଲା । ତେବେ ବକ୍ସ ଅଫିସରେ ସର୍ବକାଳୀନ ହିଟ ଫିଲ୍ମ ରେସରେ ଆଗରେ ରହିଛନ୍ତି ଅମୀର ।