କନକ ବ୍ୟୁରୋ: ବରଯାତ୍ରୀ ବେଶରେ ଆସିଥିଲେ ଆଇଟି ଅଫିସର । କାର ଆଗରେ ଲଗାଯାଇଥିଲା ‘ଦୁଲହନ ହମ୍ ଲେ ଜାଏଙ୍ଗେ’ ଷ୍ଟିକର । ସେହିପରି ରାହୁଲ ୱେଡ୍ସ ଅଞ୍ଜଲି ଲେଖି ଲୋକଙ୍କୁ ଭୁଆଁ ବୁଲାଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଉଦ୍ଦେଶ୍ୟ ଥିଲା ଚଢାଉ ହେବାକୁ ଥିବା ବ୍ୟକ୍ତି ଯେମିତି ଜାଣିନପାରିବେ, ଆଉ ଅଚାନକ ଚଢାଉ ଆରମ୍ଭ କରିପାରିବ ଆୟକର ବିଭାଗ । ଟଙ୍କା/ପଇସା... ଇଡି ପରେ ଆୟକର ବିଭାଗର ବଡଧରଣର ରେଡ୍ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଚଢାଉ ବେଳେ ମିଳିଲା ବହୁ ପରିମାଣରେ ନଗଦ ଟଙ୍କା । ପଇସାର ପାହାଡ ଦେଖି ଜଳକା ହୋଇଯାଇଛି ତଦନ୍ତକାରୀ ସଂସ୍ଥା । ଟଙ୍କା ଗଣିବାକୁ ଦିନ ୧୧ଟାରୁ ରାତି ଗୋଟାଏ ବାଜି ଯାଇଛି ।

Advertisment

ଅଗଷ୍ଟ ୧ରୁ ୮ ମଧ୍ୟରେ ଷ୍ଟିଲ, କପଡା ଓ ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ଉପରେ ଏହି ଚଢାଉ କରିଥିଲା ଆୟକର ବିଭାଗ । ୫ଟି ଟିମ କରି ମହାରାଷ୍ଟ୍ର ଜଲାନା ଅଂଚଳରେ ଚଢାଉ କରିଥିଲା ଆୟକର ବିଭାଗର ନାସିକ ବ୍ରାଂଚ୍ । ରେଡ୍ ପାଇଁ ବ୍ୟବହାର ହୋଇଥିଲା ୧୨୦ ଗାଡି, ନିୟୋଜିତ ହୋଇଥିଲେ ୨୬୦ କର୍ମଚାରୀ ।

ଆୟକର ଚଢାଉରୁ ମିଳିଲା କ’ଣ?
- ବିପୁଳ ପରିମାଣର ବେଆଇନ ସଂପତ୍ତି ଠାବ କରିଛି ଆୟକର ବିଭାଗ
- ମୋଟ୍ ୩୯୦ କୋଟି ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି
- ୫୮ଲକ୍ଷ ନଗଦ ଟଙ୍କା ସହ ୩୨ କିଲୋ ସୁନା ଜବତ କରାଯାଇଛି
- ହୀରା ଓ ମୋତି ସଙ୍ଗକୁ ୩୦୦ କୋଟିର ଜମିବାଡି଼ କାଗଜପତ୍ର ମିଳିଛି
- ପ୍ରାୟ ୧୬କୋଟି ଟଙ୍କାର ଅଳଙ୍କାର ଜବତ କରିଛି ଆୟକର ବିଭାଗ
- ୫ଟି ସଂସ୍ଥାର ଘର, କମ୍ପାନି ଓ ଫାର୍ମହାଉସରେ ଚଢାଉ କରାଯାଇଥିଲା
- ଘରୁ କିଛି ମିଳିନଥିବାବେଳେ ସହର ବାହାରେ ଫାର୍ମହାଉସରୁ ସବୁ ମିଳିଛି

ପ୍ରାଥମିକ ଭାବେ କିଛି ମିଳିନଥିଲା ବେଳେ ଅଚାନକ ଫାର୍ମହାଉସ ବେଡରୁ ମିଳିଥିଲା ବିଡାବିଡା ଟଙ୍କା । ସୁନା ଗହଣା ସହ ସୁନା ବିସ୍କୁଟ, ଇଟା ଓ କଏନ ଦେଖି ତଦନ୍ତକାରୀ ଟିମର ଆଖି ଖୋସି ହୋଇଯାଇଥିଲା । ଜଲାନା ସହିତ ଔରଙ୍ଗାବାଦରେ ମଧ୍ୟ ୨ ବ୍ୟବସାୟୀଙ୍କ ଘରେ ଚଢାଉ ହୋଇଛି ।

ପାର୍ଥ, ଅର୍ପିତା... କିଛିଦିନ ତଳେ ଏହିଭଳି ଟଙ୍କାର ପାହାଡ ପଶ୍ଚିମବଙ୍ଗରୁ ଠାବ ହୋଇଥିଲା । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜିଙ୍କ ଘରୁ ମିଳିଥିଲା ୫୦ କୋଟିର ନଗଦ ନୋଟ୍ । ଏହା ପୂର୍ବରୁ ୟୁପି କାନପୁରର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ୧୯୭ କୋଟି ଟଙ୍କା ମିଳିଥିଲା ।