ଝାରସୁଗୁଡାରେ ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନୀ କ୍ୟାମ୍ପେନରେ ବଲିଉଡ ଷ୍ଟାର । ନବ ଦାସଙ୍କ ପାଇଁ ପ୍ରଚାର କଲେ ଚର୍ଚ୍ଚିତ ଯୋଡି ସୁନୀଲ ସେଠୀ ଓ ମହିମା ଚୌଧୁରୀ

ଓଡିଆରେ ଜୁହାର କହିଲେ ମହିମା; ଆସନ୍ତା ୧୮ରେ ନବ ଦାଦାଙ୍କୁ ଭୋଟ ଦେବାକୁ କଲେ ଅପିଲ

261

କନକ ବ୍ୟୁରୋ: ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ଓ ଅଭିନେତ୍ରୀ ମହିମା ଚୌଧୁରୀ। ଦୁଇଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଏଠାକୁ ଆସିଥିବା ଏହି ଦୁଇ ବଲିଉଡ୍ କଳାକାର ଗତକାଲି ନବଙ୍କ ନିର୍ବାଚନୀ ସଭା ଓ ରୋଡ୍ ସୋ’ରେ ସାମିଲ ହୋଇଥିଲେ। ଏମାନଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ହୋଇଥିଲା।

ଅଭିନେତ୍ରୀ ମହିମା ଲୋକଙ୍କୁ ଓଡ଼ିଆରେ ‘ଜୁହାର’ କହିବା ସହିତ ଗୀତ ଗାଇ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ସେହିପରି ଉଭୟ ସୁନୀଲ ଓ ମହିମା ସେମାନଙ୍କ ଭାଷଣରେ ‘ନବ ଦାଦା’ ବୋଲି ସମ୍ବୋଧନ କରିବା ପରେ ପ୍ରବଳ କରତାଳି ହୋଇଥିଲା। ଆସନ୍ତା ୧୮ ତାରିଖରେ ଭୋଟିଂ ମେସିନର ୩ ନମ୍ବର ବଟନ୍ ଚିପି ଶଙ୍ଖଚିହ୍ନକୁ ଭୋଟ ଦେବାକୁ ସୁନିଲ ଓ ମହିମା ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ଏହି ସଭାରେ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ନବଙ୍କ ପତ୍ନୀ ମିନତି ଦାସ, ପୁ୍ଅ ବିଶାଳ ଦାସ ମଧ୍ୟ ମଞ୍ଚାସୀନ ଥିଲେ। ଏଚ୍ କଟାପାଲି ଓ ବମ୍ବେ ଛକରେ ସଭା ପରେ ଏକ ବିଶାଳ ରୋଡ଼୍ ସୋ’ରେ ଏହି କଳାକାର ଓ ନେତାମାନେ ଝଣ୍ଡାଚୌକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମଧ୍ୟ ଏକ ନିର୍ବାଚନ ସଭାରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ସାରା ସହର ଲୋକାରଣ୍ୟ ହୋଇ ଉଠିଥିଲା। ଝାରସୁଗୁଡ଼ାର ବିକାଶ ଜାରି ରହିବ ବୋଲି ନବ ଦାସ ତାଙ୍କ ଭାଷଣରେ କହିଥିଲେ।