ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହେଲା ପୁରା ବଲିଉଡ୍ ! ଧାଡିରେ ଆସି ମତଦାନ ସାବ୍ୟସ୍ତ କଲେ ସିନେ ପରଦାର ଅନେକ ସେଲିବ୍ରିଟି ।

125

କନକ ବ୍ୟୁରୋ : ଭୋଟ୍ ଦେଲା ବଲିଉଡ୍ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ସେଲିବ୍ରିଟି । ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସିନେ ପରଦାର ଅନେକ କଳାକାରଙ୍କୁ ନିଜ ମତ ସାବ୍ୟସ୍ତ କରୁଥିବାର ଦେଖିବାକୁ ମିଳିଛି । ଚତୁର୍ଥ ପର୍ଯ୍ୟାୟ ମତଦାନରେ ମୁମ୍ବାଇର ସମସ୍ତ ୬ଟି ଲୋକସଭା ଆସନ ପାଇଁ ଭୋଟିଂ ହୋଇଛି । ଏବଂ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛି ପୁରା ବଲିଉଡ । ସେଲିବ୍ରିଟି ମାନେ ସକାଳୁ ସକାଳୁ ନିଜ ନିଜ ପୁଲିଂ ବୁଥକୁ ଆସି ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଅଭିନେତା ଅମିର ଖାନ ଓ ତାଙ୍କ ପତ୍ନୀ କିରଣ ରାଓ ମୁମ୍ବାଇରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସାଧାରଣ ଲୋକଙ୍କ ପରି ଏହି ବଲିଉଡ ଷ୍ଟାର ଭୋଟ ଦେଇଛନ୍ତି । କଡା ସୁରକ୍ଷା ବଳୟରେ ଏମାନେ ମତଦାନ କେନ୍ଦ୍ରରେ ପହଁଚିଥିଲେ । ସେହିପରି ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବି ଭୋଟ୍ ଦେଇଛନ୍ତି । ବରସୋଭାରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ପ୍ରିୟଙ୍କା ।

ମୁମ୍ବାଇର ଭିଲେ ପାର୍ଲେରେ ଥିବା ଜମୁନା ଭାଇ ସ୍କୁଲକୁ ଯାଇ ଭୋଟ୍ ଦେଇଛନ୍ତି ହେମାମାଳିନୀ ଓ ତାଙ୍କ ଦୁଇ ଝିଅ ଇଶା ଓ ଆହାନା । ମଥୁରାରୁ ନିର୍ବାଚନ ଲଢୁଛନ୍ତି ହେମା । ବିଗ୍ ବି ଅମିତାଭ ବଚ୍ଚନ ସପରିବାର ଆସି ମତଦାନ କରିଛନ୍ତି । ତାଙ୍କ ସହ ଥିଲେ ସାଂସଦ ପତ୍ନୀ ଜୟାପ୍ରଦା, ପୁଅ ଅଭିଶେକ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ସେହିପରି ଫିଲ୍ମ ନିର୍ମାତା ରାକେଶ ରୋଶନ ଓ ପୁଅ ଋତିକ ରୋଷନ ମଧ୍ୟ ଆଜି ମୁମ୍ବାଇରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ବଲିଉଡ ଭାଇଜାନ ସଲମାନ ଖାନ୍ ମଧ୍ୟ ବାନ୍ଦ୍ରାରେ ଥିବା ପୁଲିଂ ବୁଥକୁ ଯାଇ ମତଦାନ କରିଛନ୍ତି । ସଲିମ ଖାନ ମଧ୍ୟ ଭୋଟ୍ ଦେଇଛନ୍ତି । ସେହିପରି ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର ପତ୍ନୀ ଅଂଜଳି, ପୁଅ ଅର୍ଜୁନ ଓ ଝିଅ ସାରାଙ୍କ ସହ ଯାଇ ମତଦାନ କରିଛନ୍ତି । ପୁଲିଂ ବୁଥରେ ଏହି ସେଲିବ୍ରେଟିଙ୍କୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଜମିଥିଲା ।

ମୁମ୍ବାଇ ବାନ୍ଦ୍ରାର ମାଉଂଟ ମ୍ୟାରୀ ସ୍କୁଲରେ ବଲିଉଡ ବାଦଶାହ ଶାହରୁଖ ଖାନ୍ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହରୁଖଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ ଭିଡ ଜମିଥିବା ଦେଖିବାକୁ ମିଳିଛି । ବିବେକ ଓବରୋୟ ମଧ୍ୟ ନିଜ ପରିବାର ସହ ଜୁହୁରେ ଥିବା ମତଦାନ କେନ୍ଦ୍ରରେ ପହଂଚି ମତଦାନ କରିଛନ୍ତି । କରୀନା କପୁର ମଧ୍ୟ ଭୋଟକେନ୍ଦ୍ରକୁ ଯାଇ ନିଜର ମତଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ନଜର ଆସିଥିଲେ କୁନିପୁଅ ତୈମୁର । ସେହିପରି ମୁମ୍ବାଇ ଜୁହୁରେ ବଲିଉଡର ଧକଧକ ଗର୍ଲ ମାଧୁରୀ ଦୀକ୍ଷିତ ବି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମାଧୁରୀଙ୍କୁ ଦେଖିବା ପାଇଁ ଭୋଟ କେନ୍ଦ୍ର ପରିସରରେ ଭିଡ ଦେଖିବାକୁ ମିଳିଥିଲା । କଙ୍ଗନା ରଣାୱତ ବି ମୁମ୍ବାଇରେ ଭୋଟଦାନ କରିଛନ୍ତି ।

ଭୋଟ ଦେଲେ ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର । ମୁମ୍ବାଇ ଉତ୍ତରରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢୁଛନ୍ତି ଉର୍ମିଳା । ଭୋଟ ଦେବା ପରେ ନିଜର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଉର୍ମିଳା । ଅଭିନେତା ପରେଶ ରାୱଲ ମଧ୍ୟ ଭୋଟଦାନ ପ୍ରକ୍ର୍ରିୟାରେ ସାମିଲ ହୋଇ ମତଦାନ କରିଛନ୍ତି । ଟ୍ୱିଙ୍କଲ ଖାନ୍ନା ମଧ୍ୟ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମୁମ୍ବାଇ ଜୁହୁ ଲୋକସଭା ଆସନ ପାଇଁ ଭୋଟ ଦେଇଛନ୍ତି ଟ୍ୱିଙ୍କଲ ।

ଭୋଟ ଦେଇଛନ୍ତି ବଲିଉଡ ଷ୍ଟାର ଅନୁପମ ଖେର । ସାଧାରଣ ଭୋଟରଙ୍କ ପରି ଧାଡିରେ ଆସି ଭୋଟ ଦେଇଛନ୍ତି ଅନୁପମ । ବଲିଉଡ ସିଂଘମ ଅଜୟ ଦେବଗନ ଓ ପତ୍ନୀ କାଜୋଲ ମଧ୍ୟ ଭୋଟ ଦେଇଛନ୍ତି । ମୁମ୍ବାଇ ଜୁହୁ ଲୋକସଭା ଆସନ ପାଇଁ ଏହି ଷ୍ଟାର ଯୋଡି ଭୋଟ ଦେଇଛନ୍ତି । ଶିଳ୍ପପତି ଅନିଲ ଅମ୍ବାନୀ ମଧ୍ୟ ମତଦାନ ପାଇଁ ସମୟ ବାହାର କରି ମୁମ୍ବାଇରେ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ସେପଟେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ନିଜ ସ୍ୱାମୀ ଗୋଲଡି ବେହଲଙ୍କ ସହ ସୋନାଲୀ ମୁମ୍ବାଇର ଜାମ୍ନା ଭାଇ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ପହଁଚି ଭୋଟ ଦେଇଛନ୍ତି । ଫରହାନ ଅଖତର ମଧ୍ୟ ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ଜାବେଦ ଅଖତର ଓ ସବାନା ଆଜମି ମଧ୍ୟ ଭୋଟ ଦେଇଛନ୍ତି । ବଲିଉଡ୍ ଆକ୍ଟ୍ରେସ ଭାଗ୍ୟଶ୍ରୀ ଭୋଟ ଦେଇଛନ୍ତି । ମୁମ୍ବାଇ ଜମନା ଭାଇ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।