ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟାର ଚାର୍ଜସିଟ, ଶିଳ୍ପାଙ୍କ ବୟାନ ବି ରେକର୍ଡ

138

କନକ ବ୍ୟୁରୋ : ଅଶ୍ଳୀଳ ଭିଡିଓ ମାମଲାରେ ବୁଧବାର ଦିନ ମୁମ୍ବାଇ କ୍ରାଇମବ୍ରାଞ୍ଚ ସିନେମା ପ୍ରଯୋଜକ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଜକୁନ୍ଦ୍ରା ଓ ଅନ୍ୟ କିଛି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୪୩ ଜଣଙ୍କ ବୟାନ ରେକର୍ଡ ବି ରହିଛି । ଦାଖଲ ହୋଇଥିବା ଚାର୍ଜସିଟରେ ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ସେଟ୍ଟୀ ଓ ସର୍ଲିନ ଚୋପ୍ରାଙ୍କ ବୟାନ ବି ସାମିଲ କରାଯାଇଛି ।

କହିରଖୁ କି, ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଜୁଲାଇ ୧୯ ତାରିଖରୁ ଜେଲରେ ଅଛନ୍ତି । ତାଙ୍କୁ ଅଶ୍ଳୀଳ ଭିଡିଓ ସୁଟିଂ ଓ ତାକୁ ମାର୍କେଟିଂ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସେପଟେ ରାଜ କୁନ୍ଦ୍ରାଙ୍କ ଜାମିନକୁ ନେଇ ନ୍ୟାୟାଳୟ ଆଜି (ସେପ୍ଟେମ୍ବର-୧୬) ତାରିଖରେ ଶୁଣାଣି କରିବ ବୋଲି ଜଣାପଡିଛି ।

ଅନ୍ୟପଟେ ଦିନକୁ ଦିନ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ବୁଧବାର ଦିନ ସ୍ୱାମୀଙ୍କ ମଙ୍ଗଳ ମନାସୀ ଶିଳ୍ପା ବୈଷ୍ଣବ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସ୍ୱାମୀ ଜେଲ ଯିବା ପରେ କିଛିଦିନ ପାଇଁ ଶିଳ୍ପା କ୍ୟାମେରା ସମ୍ନାରୁ ଦୂରେଇ ରହିଥିବା ବେଳେ ଏବେ ସ୍ୱଭାବିକ ଭାବେ ନିଜର କାମ ଆରମ୍ଭ କରିଛନ୍ତି ।