ବଲିଉଡରେ ଡ୍ରଗ୍ସ କାରବାର: ଅଭିନେତା ଏଜାଜ ଖାନ୍ ଗିରଫ ; ୮ ଘଣ୍ଟାର ଜେରା ପରେ ଗିରଫ କଲା ଏନସିବି

82

କନକ ବ୍ୟୁରୋ :  ଡ୍ରଗ୍ସ କାରବାର ମାମଲାରେ ଏଜାଜ ଖାନ ଗିରଫ । ମୁମ୍ବାଇରୁ ଏଜାଜ ଖାନଙ୍କୁ ଗିରଫ କଲା ଏନସିବି । ଦୀର୍ଘ ଆଠ ଘଣ୍ଟାର ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏଜାଜଙ୍କୁ ଗିରଫ କରିଛି ।  ପୂର୍ବରୁ ତାଙ୍କୁ ୨୦୧୮ ମସିହାରେ ମଧ୍ୟ ଗିରଫ କରାଯାଇଥିଲା।

ଏନସିବି ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇର ଡ୍ରଗ୍ସର ସବୁଠାରୁ ବଡ ସିଣ୍ଡିକେଟ୍ ଏଜାଜ୍ ଖାନ୍ ଏବଂ ବାଟାଟା ଗ୍ୟାଙ୍ଗ ମଧ୍ୟରେ ଲିଙ୍କ ମିଳିଛି । ଏଜାଜଙ୍କୁ କାବୁ କରିବା ପରେ ଏନସିବି ଟିମ୍ ମୁମ୍ବାଇର ଅନ୍ଧେରି ଏବଂ ଲୋଖଣ୍ଡୱାଲା ଅଞ୍ଚଳରେ ମଧ୍ୟ ଚଢାଉ କରିଥିଲା। ଏଜାଜ ପୂର୍ବରୁ ମୁମ୍ବାଇର ସବୁଠାରୁ ବଡ ଡ୍ରଗ୍ ଯୋଗାଣକାରୀ ଫାରୁକ୍ ବାଟାଟାଙ୍କ ପୁଅ ଶାଦବ ବାଟାଟାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଶାଦବଙ୍କୁ ପଚରାଉଚରା ପରେ ହିଁ ଏଜାଜଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି ।

୨୦୧୮ ମସିହାରେ ମଧ୍ୟ ନିଷିଦ୍ଧ ଡ୍ରଗ୍ସ ସେବନ ଅଭିଯୋଗରେ ଏଜାଜ ଖାନଙ୍କୁ ମୁମ୍ବାଇ ପୋଲିସର ନାର୍କୋଟିକ୍ସ ସେଲ ଦ୍ୱାରା ଗିରଫ କରାଯାଇଥିଲା । ଖବର ଅନୁଯାୟୀ, ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା ସେତେବେଳେ ସେ ମଦ୍ୟପାନ କରିଥିଲେ । ତାଙ୍କଠାରୁ ୮ ଟି ଏକ୍ସଟେସି ଟାବଲେଟ୍ ପାଇଥିଲେ, ଯାହାର ଓଜନ ୨.୩ ଗ୍ରାମ ଏବଂ ମୂଲ୍ୟ ପାଖାପାଖି ୨.୨ ଲକ୍ଷ ଟଙ୍କା ଥିଲା । ସେହି ସମୟରେ ନାଭି ମୁମ୍ବାଇ ପୋଲିସ ମଧ୍ୟ ଅଭିନେତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଥିଲା।

ଏଜାଜ୍ ଗତ କିଛି ଦିନ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଲୋକପ୍ରିୟ ଟିଭି ରିଆଲିଟି ସୋ ବିଗ୍ ବସ୍ ରେ ମଧ୍ୟ ଏଜାଜ୍ ଖାନଙ୍କୁ ଦେଖିବାକୁ ମିଳିଥିଲା । ବିଧାନସଭା ନିର୍ବାଚନ ସମୟରେ ଅଭିନେତା ଏଜାଜ ଖାନ ମୁମ୍ବାଇର ବାଇକୁଲା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ଏଥିରେ ତାଙ୍କୁ କମ୍ ଭୋଟ୍ ମିଳିଥିଲା ।