ଡିସେମ୍ବର ୯ ତାରିଖରେ ପଡିପାରେ ଭିକ୍କି କୌଶଲ-କ୍ୟାଟ୍ରିନା କୈଫଙ୍କ ହାତଗଣ୍ଠି । ଅତିଥିଙ୍କ ପାଇଁ ବୁକ୍ ହୋଇଛି ୪୫ରୁ ଅଧିକ ହୋଟେଲ ।

ପଢନ୍ତୁ, ବିବାହରେ ଯୋଗଦେବେ କେଉଁ କେଉଁ ବଲିଉଡ୍ ଷ୍ଟାର...

133

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକ୍କି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଯେତିକି ବଢୁଛି ପ୍ରତିଦିନ ନୂଆ ନୂଆ ସୂଚନା ମଧ୍ୟ ସେତିକି ସାମ୍ନାକୁ ଆସୁଛି । ମିଳିଥିବା ନୂଆ ସୂଚନା ମୁତାବକ, ରାଜସ୍ଥାନରେ ଏହି ବିିବାହ ହେବାକୁ ଥିବାବେଳେ ଆସନ୍ତା ୯ ତାରିଖରେ ଏହି ନୂଆ ଯୋଡିଙ୍କର ହାତଗଣ୍ଠି ପଡିବାକୁ ଯାଉଛି । ତେବେ ଏହି ବିବାହ ବେଶ ଆଡମ୍ବର ସହକାରେ ହେବାକୁ ଯାଉଛି । ଏଥିରେ ବଲିଉଡର ବଡ ବଡ ଷ୍ଟାର ଅଭିନେତା ଓ ପ୍ରଯୋଜକ ସାମିଲ ହେବାକୁ ଥିବାବେଳେ , ସେମାନଙ୍କ ପାଇଁ ପାଖାପାଖି ୪୫ଟି ହୋଟେଲ ବୁକ୍ ହୋଇଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ୭, ୮ ଓ ୯ ତାରିଖ ଦୀର୍ଘ ତିନି ଦିନ ଧରି ବେଶ ଧୂମଧାମ ସହକାରେ ଏହି ବିବାହ ହେବାକୁ ଯାଉଛି । ଅତିଥିଙ୍କ ରହିବା ପାଇଁ ଭିକ୍କି-କ୍ୟାଟ୍ ଯୋଡି ପାଖାପାଖି ୪୫ଟି ହୋଟେଲ ବୁକ୍ କରିଥିବାବେଳେ, ଅଧିକାଂଶ ଅତିଥି ୭ ତାରିଖ ସୁଦ୍ଧା ଭେନ୍ୟୁରେ ପହଞ୍ଚିବେ । କେବଳ ବଲିଉଡ୍ ଅଭିନେତା ସଲମାନ ଖାନ୍ ବିବାହ ଦିନ ଅର୍ଥାତ ୯ ତାରିଖରେ ଭେନ୍ୟୁରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ଭିକ୍କି-କ୍ୟାଟଙ୍କ ବିବାହରେ କେଉଁ କେଉଁ ଅତିଥି ଯୋଗଦେବେ ତାର ଏକ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଥିଲା । ନିର୍ଦ୍ଦେଶକ କରଣ ଜୋହରଙ୍କ ସହିତ ଫରାହ ଖାନ, ବରୁଣ ଧାୱନ, କିୟାରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା, କବୀର ଖାନଙ୍କ ସହିତ ଅନ୍ୟ ବଲିଉଡ୍ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ କ୍ୟାଟ୍ରିନା ଓ ଭିକ୍କି ଅତିଥିମାନଙ୍କ ପାଇଁ ଟିକେଟ୍ ବୁକିଂ ଏବଂ ବିବାହର ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସୂଚନା ମୁତାବକ ଏହି ବିବାହରେ ପ୍ରାୟ ୨ ଶହ ଅତିଥି ଯୋଗଦେବାର ଅଛି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ପ୍ରଥମ ସପ୍ତାହରେ ଭିକ୍କି-କ୍ୟାଟ୍ ଯୋଡିଙ୍କର ବିବାହ ହେବା ନେଇ ଖବର ପ୍ରକାଶ ପାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି । ହେଲେ କ୍ୟାଟ୍ରିନା କି ଭିକ୍କି କୌଶଲଙ୍କ ତରଫରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।